କନକ ବ୍ୟୁରୋ: ବେଙ୍ଗାଲୁରୁ ଏଆଇ ଇଞ୍ଜିନିୟର ଆତ୍ମହତ୍ୟା ଘଟଣାରେ ନାତି ଦାବି କଲେ ଅତୁଲ ସୁଭାଷଙ୍କ ମାଆ । ଏନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅତୁଲଙ୍କ ମାଆ ଅଞ୍ଜୁ ମୋଦୀ ସୁପ୍ରିମକୋର୍ଟରେ ହାଜର ହୋଇ ନିଜ ୪ ବର୍ଷୀୟ ନାତିକୁ ପାଇବା ପାଇଁ ଅପିଲ କରିଛନ୍ତି । ଅଞ୍ଜୁ ମୋଦୀ ଦର୍ଶାଇଛନ୍ତି ଯେ, ଗିରଫ ହୋଇଥିବା ସୁଭାଷଙ୍କ ପତ୍ନୀ ନିକିତା ସିଂଘାନିଆ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ନାତି ସମ୍ପର୍କରେ ତାଙ୍କୁ କିଛି କହୁନାହାନ୍ତି । ନାତି କେଉଁଠି ଅଛି ତାଙ୍କୁ ଜଣାନାହିଁ । ନିକିତା ପୋଲିସକୁ କହିଥିଲେ ଯେ, ସେ ପୁଅକୁ ଫରିଦାବାଦର ଏକ ବୋର୍ଡିଂ ସ୍କୁଲରେ ଛାଡ଼ିଛନ୍ତି ।

Advertisment

ନିକିତାଙ୍କ ଦାଦା ସୁଶୀଲ ସିଂଘାନିଆ ପୁଅ କଥା ବୁଝୁଥିବା ପୋଲିସ ଆଗରେ କହିଥିଲେ ନିକିତା । କିନ୍ତୁ ସୁଶୀଲ ପିଲା ବିଷୟରେ କିଛି ଜାଣି ନଥିବା କହିଛନ୍ତି। ଏ ମାମଲାର ଶୁଣାଣି କରି କୋର୍ଟ ଉତ୍ତରପ୍ରଦେଶ, ହରିୟାଣା, କର୍ଣ୍ଣାଟକ ସରକାରଙ୍କୁ ନୋଟିସ୍ ଜାରି କରି ପିଲାର ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୭ରେ ହେବ। ଡିସେମ୍ବର ୯ ତାରିଖରେ ସୁଭାଷ ବେଙ୍ଗାଲୁରୁ ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ । ନିଜ ସୁଇସାଇଡ୍‌ ନୋଟ୍‌ ଓ ଭିଡିଓରେ ସେ ସ୍ତ୍ରୀ ନିକିତା ଓ ଶ୍ବଶୁର ଘର ଲୋକଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରିଥିଲେ ।