କନକ ବ୍ୟୁରୋ: ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହୋଇଥିବା ବେଳେ କ୍ୟାମ୍ପସରେ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନଚିହ୍ନ । ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟରେ ସହକାରୀ ଅଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ଅସନ୍ତୋଷ ଝାଡ଼ିଛନ୍ତି ବାଲେଶ୍ବରବାସୀ ।
- ସହକାରୀ ଅଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ
- ଏଫଏମ୍ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଥିବା ସରକାରୀ କ୍ବାର୍ଟରରେ ପଶି ଅଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । ଅଭିଯୁକ୍ତ ହରିହର ପାତ୍ରକୁ ଗିରଫ କରିଛି ରେମୁଣା ପୁଲିସ । ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଗ୍ୟାସ୍ ମରାମତି ବାହାନାରେ ଘରକୁ ପଶିଥିଲା । ଏହାପରେ ମହିଳାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା । ତେବେ କୌଶଳକ୍ରମେ ମହିଳା ତାଙ୍କ ସ୍ବାମୀଙ୍କୁ କଲ୍ କରିଥିଲେ । ଅଭିଯୁକ୍ତକୁ ଟଙ୍କା ଦେବେ ବୋଲି ପ୍ରଲୋଭିତ କରି ଘର ବାହାରୁ କବାଟ ବନ୍ଦ କରିବା ପରେ କାବୁ କରିଥିଲା ସିକ୍ୟୁରିଟି ଗାର୍ଡ । ତେବେ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଭିତରେ ଦୁଷ୍କର୍ମ ଉଦ୍ୟମ ଘଟଣା ପରେ ହଇଚଇ ସୃଷ୍ଟି ହୋଇଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛନ୍ତି ।
ଅଭିଯୁକ୍ତ ହରିହର ପାତ୍ର ବିଶ୍ବବିଦ୍ୟାଳୟ ନିକଟ ମର୍ଦ୍ଦରାଜପୁରରେ ରୁହେ । ଅଭିଯୁକ୍ତର ବାପାଙ୍କ କହିବା ଅନୁସାରେ, ତାଙ୍କ ପୁଅର ୩ ବର୍ଷ ହେବ ମସ୍ତିଷ୍କ ରୋଗ ବାହାରିଛି । ସେ କେତେବେଳେ କଣ କରୁଛି, ଜଣାପଡୁନି ।
ତେବେ ଗୋଟିଏ ପଟେ ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଏଫଏମ ବିଶ୍ବବିଦ୍ୟାଳୟରେ ଏଭଳି ଘଟଣା ଘଟିବା, କ୍ୟାମ୍ପସ ସୁରକ୍ଷାକୁ ନେଇ ପ୍ରଶ୍ନଚିହ୍ନ ଛିଡ଼ା କରିଛି । ଏତେ କଡ଼ା ସୁରକ୍ଷା ଭିତରେ କିଭଳି ସରକାରୀ କ୍ବାର୍ଟରକୁ ପଶି ଅଭିଯୁକ୍ତ ଦୁଷ୍କର୍ମ ଉଦ୍ୟମ କଲା, ତାକୁ ନେଇ ଆପତ୍ତି ଉଠାଇଛନ୍ତି ଜିଲ୍ଲାବାସୀ ଓ ବୁଦ୍ଧିଜୀବୀ । ଏହି ଘଟଣା ପରେ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ସିକ୍ୟୁରିଟିକୁ କୁଳପତି ବହିଷ୍କାର କରିଛନ୍ତି । ଅଧିକ ୬ ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ।