କନକବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନେଇ ଉଷ୍ମତା ଚରମ ସୀମାରେ ପହଂଚିଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ତଥା ଏବେକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଆକ୍ରମଣର ଖବର ସାମ୍ନାକୁ ଆସିଛି । ଏହି ଆକ୍ରମଣରୁ ଟ୍ରମ୍ପ ବର୍ତ୍ତିଯାଇଛନ୍ତି ଓ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଫ୍ଲୋରିଡା ପ୍ରଦେଶର ୱେଷ୍ଟ ପାମ୍ ବିଚ୍‌ରେ ଟ୍ରମ୍ପଙ୍କର ନିଜର ଗଲ୍ଫ କ୍ଲବ ଅଛି ।

ଆଉ ଟ୍ରମ୍ପ ସେଠାରୁ ଫେରୁଥିବା ବେଳେ ଏକାଧିକ ବାର ଗୁଳିଚାଳନା ହୋଇଥିଲା । ଏପରିକି ଗୋଟିଏ ଏକେ-ଫୋର୍ଟିସେଭେନ୍ ବନ୍ଧୁକ ମଧ୍ୟ ଜବତ ହୋଇଛି । ଗୁଳିଚାଳନା ନେଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା କୁହାଯାଉଛି । ଏହି ଘଟଣା ପରେ ଆମେରିକା ଗୁଇନ୍ଦା ସଂସ୍ଥା ସକ୍ରିୟ ହୋଇପଡ଼ିଛି । ଏହାସହ ଟ୍ରମ୍ପଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି ।

ଜୁଲାଇ ୧୩ ତାରିଖରେ ପେନସିଲଭାନିଆରେ ଏକ ନିର୍ବାଚନୀ ରାଲି ବେଳେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଏପରିକି ଟ୍ରମ୍ପଙ୍କ କାନରେ ଗୁଳିବାଜି ବାହାରିଯାଇଥିଲା । ଏହାସହ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ଡୋମୋକ୍ରାଟିକ୍ ଦଳ ପକ୍ଷରୁ ଉପରାଷ୍ଟ୍ରପତି କମଳା ହାରିସ୍ ଏଥର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ସେପଟେ ରିପବ୍ଲିକାନ ପାର୍ଟି ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ପୁଣି ଥରେ ନିର୍ବାଚନ ଲଢ଼ୁଛନ୍ତି ।