କନକ ବ୍ୟୁରୋ: କାର୍ଯ୍ୟରତ ପୁଲିସ କନେଷ୍ଟବଳଙ୍କୁ ମଦ୍ୟପଙ୍କ ଆକ୍ରମଣ । ଯାଜପୁର ଜିଲ୍ଲା ବ୍ୟାସନଗର ଚୋରଦା ବାଇପାସ ଛକ ନିକଟରେ ଏହି ଆକ୍ରମଣ ଘଟିଛି । ଆକ୍ରମଣକାରୀଙ୍କ ମାଡ଼ରେ ପୁଲିସ କର୍ମଚାରୀ ଜଣକ ଆହତ ହୋଇଛନ୍ତି । ଘଟଣାରେ ସଂପୃକ୍ତ ୨ ଯୁବକଙ୍କୁ ଯାଜପୁର ରୋଡ ଥାନାରେ ଅଟକ ରଖାଯାଇଛି । ଶନିବାର ଅପରାହ୍ନରେ ଚୋରଦା ବାଇପାସ ଛକ ନିକଟ ଯାଜପୁର ରୋଡ ଥାନାର କନେଷ୍ଟବଳ ସୁବାସ ଚନ୍ଦ୍ର ବେହେରା ଡ୍ୟୁଟି କରୁଥିଲେ । ଏହି ସମୟରେ କିଛି ଯୁବକଙ୍କ ସହ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ସେଠାରେ ଥିବା ୫ ଜଣ ଯୁବକ ଉତ୍ୟକ୍ତ ହୋଇ କାର୍ଯ୍ୟରତ କନେଷ୍ଟବଳଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଯାଜପୁର ରୋଡ ଥାନା ଅଧିକାରୀଙ୍କ ସମେତ ଆଉ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ୨ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । ଆହତ କନେଷ୍ଟବଳଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳର ସିସିଟିଭି ଫୁଟେଜ ଓ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛି ଯାଜପୁର ରୋଡ ପୁଲିସ ।