କନକ ବ୍ୟୁରୋ: ପୁଣି ସକ୍ରିୟ ବିଷ୍ଣୋଇ ଗ୍ୟାଙ୍ଗ । ପୁଣି ଥରେ ଖୋଲାଖୋଲି ଧମକ ପୁଣି ଗୁଳିମାଡ଼ । କମେଡି କଳାକାର କପିଲ ଶର୍ମାଙ୍କ କାନାଡାରେ ଥିବା କାଫେ ଉପରେ ଗୁଳିମାଡ଼ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି । କେବଳ ସେତିକି ନୁହେଁ ଆକ୍ରମଣ ପଛରେ କପିଲଙ୍କ ସଲମାନ ଖାନଙ୍କ ସହ ବନ୍ଧୁତା ବୋଲି କହିଛି ଗ୍ୟାଙ୍ଗଷ୍ଟର ଗ୍ୟାଙ୍ଗ । କ’ଣ ରହିଛି ପୂରା ଘଟଣା ଦେଖିବା ଏହି ରିପୋର୍ଟରେ
୪୦ଦିନ ଭିତରେ ଦୁଇ ଦୁଇ ଥର ଗୁଳିମାଡ଼ । କାନାଡାରେ ଥିବା କପିଲ ଶର୍ମାଙ୍କ କାଫେ ଆକ୍ରମଣ ଘଟଣା ଯେତିକି ଗମ୍ଭୀର ସେତିକି ପ୍ରଶ୍ନ ମଧ୍ୟ ଛିଡ଼ା କରିଥିଲା । ଏହା ଭିତରେ ବଡ଼ ଖବର ସାମ୍ନାକୁ ଆସିଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ । ଗ୍ୟାଙ୍ଗର ଜଣେ ସଦସ୍ୟ ହେରି ବକ୍ସରର ଏକ ଅଡିଓ କ୍ଳିପ ହଇଚଇ ମଚାଇଛି । ଧମକପୂର୍ଣ୍ଣ ଅଡିଓରେ କୁହାଯାଇଛି ସଲମାନ୍ ଖାନ୍ଙ୍କ ସାଙ୍ଗ ହେବାର ପରିଣାମ ଭୋଗିଛନ୍ତି କପିଲ ଶର୍ମା । ଶୋ’ରେ ସଲମାନ୍ଙ୍କୁ ନିମନ୍ତ୍ରଣ କରିଥିବାରୁ କାଫେ ଉପରେ ଗୁଳିମାଡ଼ କରାଯାଇଛି । ଯିଏ ସଲମାନ୍ଙ୍କ ସହ କାମ କରିବ ସେ ମରିବ । ନିର୍ଦ୍ଦେଶକ, ପ୍ରଯୋଜକ, କଳାକାରଙ୍କୁ ଆଉ ଧମକ ଦିଆଯିବନି । ଏଣିକି ଗୁଳି ସିଧା ଛାତିରେ ଫୁଟିବ। ମୁମ୍ବାଇର ସମସ୍ତ କଳାକାର-ପ୍ରଯୋଜକଙ୍କ ପାଇଁ ଏକ ଚେତାବନୀ । ମୁମ୍ବାଇକୁ ଏତେ ଭୟାବହ କରିଦେବୁ ଯେ କେହି କଳ୍ପନା ମଧ୍ୟ କରିନଥିବେ ।
ସଲମାନ ଖାନ ଓ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା କିଛି ନୂଆ କଥା ନୁହେଁ । ଦୀର୍ଘଦିନ ଧରି କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଚାଲିଛି । ଏପରିକି ସଲମାନଙ୍କୁ ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେବା ସହ ଅନେକ ବାର ଚେଷ୍ଟା କରି ବିଫଳ ହୋଇଛି ଲରେନ୍ସ । କଡ଼ା ସୁରକ୍ଷା ବଳୟରେ ଭାଇଜାନ ରହିଥିଲେ ବି ଜେଲରେ ଥାଇ ମଧ୍ୟ ଧମକ ଦେଉଛି ଗ୍ୟାଙ୍ଗଷ୍ଟର ବିଷ୍ଣୋଇ । ଅନ୍ୟପଟେ ସଲମାନଙ୍କ ସାଙ୍ଗସାଥୀ, ସମ୍ପର୍କୀୟ ଓ ତାଙ୍କ ସହ କାମ କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିବାରୁ ଚିନ୍ତା ବଢ଼ିଲାଣି ।