କନକ ବ୍ୟୁରୋ : ଧର୍ମଶାଭା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଆଜି ତଦନ୍ତକାରୀ ଏଜେନ୍ସିର ୩ଟି ଟିମ ବୁଢାଘାଟ, ସଦର ଓଟାଉନ ଥାନାରେ ତଦନ୍ତ ଆରମ୍ଭ କରି ଘଟଣା ପଛର ରହସ୍ୟ ଭିତରେ ପଶିବାକୁ ଉଦ୍ୟମ କରିଛି । ପ୍ରଣବଙ୍କ ଭାଇ ଭବ ଦାସଙ୍କ ନାଁରେ ଆଉ ୩ଟି ମାମଲା ଥିବା ପୁଲିସ କୋର୍ଟରେ କହିଛି । ଆକ୍ରମଣ ନେଇ ଯାଜପୁରରେ ତାତି ବଢିଥିବାବେଳେ ଭୁବନେଶ୍ୱରରେ ରାଜନୀତି ଜୋର ଧରିଛି ।

Advertisment

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ବୁଢାଘାଟ ନିକଟରେ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଏହାକୁ ନେଇ ଯାଜପୁର ଅଶାନ୍ତ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି । ଆଉ ଆଜି କ୍ରାଇମବ୍ରାଞ୍ଚର ୩ଟି ଟିମ୍ ଯାଜପୁରରେ ପହଞ୍ଚି ତନାଘନା ଆରମ୍ଭ କରିଛି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଟିମ୍ ବିଧାୟକଙ୍କୁ ଆକ୍ରମଣ, ରାସ୍ତାରୋକ ଓ ଟାଉନ ଥାନା ଘେରାଉ ନେଇ ୩ଟି ଏତଲା ଉପରେ ତଦନ୍ତ କରିବ । ଆଜି ଏହି ଟିମ ବୁଢାଘାଟ ଓ ସଦର, ଟାଉନ ଥାନାରେ ପହଞ୍ଚିଥିଲା । କେନ୍ଦ୍ରାଞ୍ଚଳ ଡିଆଇଜି ଚରଣସିଂ ମୀନା ବି ଯାଜପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ବୁଢାଘାଟରେ ରାସ୍ତାରୋକ, ସେହି ସମୟରେ ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଓ ତା ପରଦିନ ବିରଜା ହାଟରେ ହାଟ ଖୋଲାଯିବାକୁ ନେଇ ଗଣ୍ଡଗୋଳ ଘଟଣାରେ ଏବେ ସୁଦ୍ଧା ୧୬ ମାମଲା ରୁଜୁ ହେଲାଣି । ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଗିରଫ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ଦାସଙ୍କୁ କୋର୍ଟରେ ହାଜର କରିଛି । ତାଙ୍କ ନାଁରେ ପୁଲିସ ଆହୁରି ୩ଟି ମାମଲା ଥିବା କହିଛି । ଯାଜପୁର ଘଟଣାରେ ପୁଲିସ ଡିଜିପିଙ୍କୁ ଭେଟିଛି ବିଜେଡି ପ୍ରତିନିଧି ଦଳ ।

ଯାଜପୁର ବୁଢାଘାଟରେ ଆକ୍ରମଣ ଘଟଣାରେ ବିଧାୟକ ହିମାଂଶୁ ସାହୁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ସାଂଘାତିକ ଆଭିଯୋଗ ଆଣିଥିଲେ । ଘଟଣାରେ ପ୍ରଣବଙ୍କ ଭାଇ ଭବ ଦାସଙ୍କୁ ଗିରଫ କରାଯାଇଛି । ଆଉ ଏହାକୁ ନେଇ ରାଜନୀତି ବି ସରଗରମ ରହିଛି ।