କନକ ବ୍ୟୁରୋ : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ ଡିଜି ୱାଇ. ବି ଖୁରାନିଆ । ଏହାସହ ଟାଉନ ଥାନା ଘେରାଉ ଓ ହାଟ ବିବାଦକୁ ନେଇ ଡିଜିପି କହିଛନ୍ତି, କ୍ରାଇମବ୍ରାଞ୍ଚ ପକ୍ଷରୁ ତିନୋଟି ମାମଲା ମାମଲା ରୁଜୁ କରାଯାଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ପୂରା ଛାନଭିନ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । ଜଣେ ଡିଏସପିଙ୍କ ନେତୃତ୍ୱରେ ୩ଟି ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ଡିଜିପି ।
ଯାଜପୁର ସଦର ଥାନା ଅନ୍ତର୍ଗତ ବୁଢା ବ୍ରିଜ ନିକଟରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲା । ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ଯାଜପୁର ଟାଉନ୍ ଥାନାରେ ପହଂଚିଥିଲେ କ୍ରାଇମ୍ବ୍ରାଞ୍ଚ ଟିମ୍ । ଏଡିଜି ବିନୟତୋସ୍ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଆରମ୍ଭ ହୋଇଛି । ଅତିରିକ୍ତ ଏସ୍ପି ଓ ଡିଏସ୍ପି ରାଙ୍କର ଦକ୍ଷ ଅଧିକାରୀ ଟିମ୍ ଗଠନ କରିଛି କ୍ରାଇମ୍ବ୍ରାଞ୍ଚ ।
ବିଧାୟକଙ୍କୁ ଆକ୍ରମଣ ଓ ବିରଜା ହାଟରେ ବିବାଦ ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୧୯ ଜଣଙ୍କୁ ଗିରଫ କରିଛି । ଶତାଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏବେ ବି ଶତାଧିକ ଅଭିଯୁକ୍ତ ଫେରାର ରହିଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ୪ଟି ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଏପରି ସମୟରେ ରାଜ୍ୟ ସରକାର ବିଧାୟକଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ସେପଟେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମିନା ମଧ୍ୟ ଯାଜପୁର ଗସ୍ତ କରିଛନ୍ତି ।