କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଅଟ୍ରି ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହାର ଉଷ୍ମ ଓ ଗନ୍ଧକ ଯୁକ୍ତ ପାଣି ସର୍ବଦା ଲୋକଙ୍କୁ ଆକୃଷ୍ଟ କରିଆସିଛି । ଏଥିରେ ସ୍ନାନ କଲେ ପେଟ ଚର୍ମ ରୋଗ ଭଲ ହୁଏ ବୋଲି ରହିଛି ବିଶ୍ୱାସ । 

Advertisment

ଖୋର୍ଦ୍ଧା ବାଘମାରି ଠାରେ ରହିଛି ଉଷ୍ମ ପ୍ରସ୍ରବଣ ଅଟ୍ରି । ମୁଖ୍ୟ କୁଣ୍ଡରେ ପାଣିର ତାପମାତ୍ରା ସବୁବେଳେ ୫୫ ଡିଗ୍ରୀରୁ ଅଧିକ ରହିଥାଏ । ମୁଖ୍ୟ କୁଣ୍ଡକୁ ଲାଗି ରହିଛି ୪ଟି କୁଣ୍ଡ । ବର୍ଷ ତମାମ ଏଠାରେ ଲୋକଙ୍କ ଭିଡ଼ ଜମେ । ମୁଖ୍ୟ କୁଣ୍ଡ ଉପରିଭାଗରେ କରାଯାଇଥିବା ଏକ କୁଣ୍ଡରେ ଛିଡ଼ା ହୋଇ ଲୋକ ଫୁଟୁଥିବା ପାଣିକୁ ଦେଖିପାରନ୍ତି । ହେଲେ ମରାମତି ଅଭାବରୁ ଏହା ଏବେ ବିପଦରେ । ଦିନକୁ ଦିନ କୁଣ୍ଡରୁ ପଥର ଖସୁଛି । କେବେ ଏହା ସମ୍ପୂର୍ଣ୍ଣ ଧସିଯିବ ତାହା କିଛି କହି ହେଉନାହିଁ । 

ଅଟ୍ରି କୁଣ୍ଡକୁ ଆବଦ୍ଧ କରି ଏକ ରିଙ୍ଗ ବନ୍ଧ କରାଯାଇଛି । ଏଥି ସହିତ ପର୍ଯ୍ୟଟକଙ୍କ ଆମୋଦ ପ୍ରମୋଦ ପାଇଁ ଖେଳ ସାମଗ୍ରୀ, ରେଷ୍ଟ ହାଉସ ଓ ଥଣ୍ଡା ପାଣିରେ ଗାଧୋଇବା ପାଇଁ ମଧ୍ୟ ଅନ୍ୟ ଏକ ବିଶାଳ କୁଣ୍ଡ ରହିଛି । ହେଲେ ବର୍ତ୍ତମାନ ବିପଦରେ ପଡ଼ିଥିବା ଅଟ୍ରିର ମରାମତି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ୪କୋଟି ଟଙ୍କା ସରକାରୀ ଅନୁଦାନ ଆସିଛି । ହେଲେ ଏଯାଏଁ କାର୍ଯ୍ୟକାରୀ କରାଯାଇନାହିଁ । ଯାହା ପର୍ଯ୍ୟଟନ ବିଭାଗର ଅବହେଳାକୁ ପଦାରେ ପକାଇଦେଇଛି । ବୈଜ୍ଞାନିକ ଓ ପୌରାଣିକ ଦୃଷ୍ଟିକୋଣରୁ ଏହି ସ୍ଥାନର ଅନେକ ମହତ୍ତ୍ବ ରହିଛି। ତେଣୁ ବେଳ ଥାଉ ଥାଉ ସ୍ଥାନଟି ପ୍ରତି ଦୃଷ୍ଟି ନଦେଲେ ଏହା ଦିନେ ନିଶ୍ଚିହ୍ନ ହୋଇଯିବ, ଏଥିରେ ସନ୍ଦେହ ନାହିଁ।