କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ଫେବୃଆରୀ ୫ରେ ଭୋଟ୍‌ ପଡ଼ିବାକୁ ଥିବା ବେଳେ ଫେବୃଆରୀ ୮ରେ ରେଜଲ୍ଟ ବାହାରିବ । ପ୍ରଚାର ମୈଦାନରେ ଏବେଠୁ ବିଭିନ୍ନ ରାଜନୈତିକ ଦଳର ନେତା ପ୍ରଚାର କରୁଛନ୍ତି । ଯେହେତୁ ରାଜଧାନୀ ଦିଲ୍ଲୀରେ ଏବେ ଆପର ଶାସନ ଚାଲିଛି ତେଣୁ ତୃତୀୟ ଥର ଲାଗି ସେ କ୍ଷମତାରୁ ଫେରିବା ଲାଗି ତୟାରୀ କରୁଛନ୍ତି କେଜ୍ରିୱାଲ । ସେପଟେ ବହୁଚର୍ଚ୍ଚିତ ମଦ ଦୁର୍ନୀତି ସହ ଅନେକ ମାମଲାରେ ସାଙ୍ଘାତିକ ଭାବରେ ଫଶିଛନ୍ତି କେଜ୍ରିୱାଲ । ତେଣୁ ଏଥର ଆପ୍‌ ଜିତିବା କଷ୍ଟକର, ସେପଟେ ଆତିଶୀଙ୍କ ସହ କଂଗ୍ରେସ ପ୍ରାର୍ଥୀ ଅଲକା ଲମ୍ବା ଏଥର ପ୍ରାର୍ଥୀ ହେଉଛନ୍ତି । ତେଣୁ ଉଭୟଙ୍କ ମଧ୍ୟରୁ ଧନୀ କିଏ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

Advertisment

ସରଗରମ ଦିଲ୍ଲୀ ରାଜନୀତି
ଆତିଶୀ ଓ ଅଲକାଙ୍କ ମଧ୍ୟରେ ହେବ ଲଢେଇ
ଉଭୟଙ୍କ ଭିତରୁ ଧନୀ କିଏ

ଦିଲ୍ଲୀ ନିର୍ବାଚନ ଲାଗି ଆତିଶୀ ଓ ଅଲକା ଉଭୟ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜୀ ଆସନରୁ ସୋମବାର ନାମାଙ୍କନ ଭରିଥିବା ବେଳେ ଅଲକା ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ କରିବା  ପରେ ଉଭୟେ ଉଭୟଙ୍କର ସମ୍ପତ୍ତି ଘୋଷଣା କରିଛନ୍ତି । ଯେହେତୁ କାଲକାଜୀ ଆସନରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ଯାଉଛନ୍ତି ତେଣୁ ଏହି ଆସନକୁ ହାଇପ୍ରୋଫାଇଲ ଆସନ କୁହାଯାଉଛି । କେବଳ କଂଗ୍ରେସ କି ଆପ୍‌ ନୁହେଁ ବରଂ ବିଜେପିର ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ରମେଶ ସିଂ ବିଧୁରୀ । ବିଜେପିରୁ ବାରମ୍ୱାର ପ୍ରାର୍ଥୀ ହୋଇଛନ୍ତି ରମେଶ । ୨୦୦୩, ୨୦୦୮ ଓ ୨୦୧୩ରେ ତୁଗଲକାବାଦ ଆସନରୁ ସେ ବିଜୟ ମଧ୍ୟ ହୋଇଛନ୍ତି । ସେପଟେ ଅଲକା ପାଖାପାଖି ୫ ବର୍ଷ ଆପ୍‌ରେ ରହିଥିଲେ । ପରେ ପରେ ୨୦୧୯ରେ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ସେ ଯେଉଁ ଆସନରୁ ନିର୍ବାଚନ ଲଢୁଛନ୍ତି ସେହି ଆସନରେ ମୋଟ୍‌ ୧ ଲକ୍ଷ ୯୪ ହଜାର ୫୧୫ ଜଣ ମତାଦାତା ଥିବା ବେଳେ ଲକ୍ଷେ ୬ ହଜାର ୮୯୩ ଜଣ ପୁରୁଷ ଭୋଟର ଅଛନ୍ତି ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୮୭ ହଜାର ୬୧୭ । 

ଆତିଶୀଙ୍କ ପାଖରେ ଅଛି କେତେ ସମ୍ପତ୍ତି ?

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆତିଶୀ । ତାଙ୍କ ପାଖରେ ୭୬ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ଗତ ୫ ବର୍ଷ ମଧ୍ୟରେ ତାଙ୍କର ସମ୍ପତ୍ତି ପ୍ରାୟ ୨୮.୬୬ ପ୍ରତିଶତ ବୃଦ୍ଧି ହୋଇଛି । ଠିକ୍‌ ସେମିତି ତାଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ । ଗହଣା ବାବଦରେ ତାଙ୍କ ପାଖରେ ମାତ୍ର ୧୦ ଗ୍ରାମ୍‌ ସୁନା ଅଳଙ୍କାର ରହିଛି । ଖାଲି ଏତିକି ନୁହେଁ ବରଂ ତାଙ୍କ ନାଁରେ କୌଣସି କାର କିମ୍ୱା ଅନ୍ୟ ଗାଡ଼ି ବି ନାହିଁ । ଆଉ ଯଦି ମାମଲା କଥା କହିବେ , ତେବେ ଦୁଇ ଅପରାଧୀକ ମାନହାନୀ ମାମଲା ତାଙ୍କ ନାଁରେ ରହିଛି । ପାଖରେ ମାତ୍ର ୩୦ ହଜାର ନଗଦ ଟଙ୍କା ଥିବା ବେଳେ ୩ ବ୍ୟାଙ୍କରେ ଆକାଉଣ୍ଟ ରହିଛି । 

ଅଲକାଙ୍କ ପାଖରେ ଅଛି କେତେ ସମ୍ପତ୍ତି

ଆତିଶୀଙ୍କ ପାଖରେ ୭୬ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ଅଲକାଙ୍କ ପାଖରେ କେତେ ସମ୍ପତ୍ତି ରହିଛି ତାହାକୁ ନେଇ ବି ଚର୍ଚ୍ଚା ଚାଲିଛି । ସୂଚନା ଅନୁସାରେ, ଅଲକାଙ୍କ ପାଖରେ ମୋଟ୍‌ ୩,୪୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ଅଲକାଙ୍କ ନିଜ ପାଖରେ ୬୧. ୧୨ ଲକ୍ଷ ଟଙ୍କା ଥିବା ବେଳେ ନିଜ ପରିବାରର ଅନ୍ୟଙ୍କ ପାଖରେ ତାଙ୍କର ୧୪.୩୬ ଲକ୍ଷ ଟଙ୍କା ରହିଛି । ଗତ ୫ ବର୍ଷ ଭିତରେ ତାଙ୍କର ସମ୍ପତ୍ତି ପ୍ରାୟ ୨୦ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । କେବଳ ଏତିକି ନୁହେଁ ବରଂ ଗୁରୁଗ୍ରାମରେ ୮୦ ଲକ୍ଷ ମୂଲ୍ୟର ଏକ ଆପାର୍ଟମେଣ୍ଟ ସହ ଦିଲ୍ଲୀର ସାଉଥ୍‌ ଏକ୍ସଟେନସନ୍‌ରେ ୨ କୋଟି ଟଙ୍କା ମୂଲ୍ୟର କମରସିଆର ଫ୍ଲାଟ୍‌ ଥିବା ଦର୍ଶାଇଛନ୍ତି । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ୨୪-୨୫ ଆର୍ଥିକ ବର୍ଷରେ ତାଙ୍କର ଆୟ ୮.୨୮ ଲକ୍ଷ ଟଙ୍କା ଥିଲା ହେଲେ ୨୩-୨୪ରେ ୮.୯୧ ଲକ୍ଷ ଏବଂ ୨୨-୨୩ରେ ଆୟ ଥିଲା ୫.୩୫ ଲକ୍ଷ । ଏହାସହ ସେ କହିଛନ୍ତି ତାଙ୍କ ପାଖରେ କୌଣସି ଗହଣା ନାହିଁ । ତେବେ ଉଭୟ ସମ୍ପତ୍ତି ଘୋଷଣା କରିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଛି କି ଆତିଶୀଙ୍କ ଅପେକ୍ଷା ଅଲକା ଅଧିକ ଧନୀ ।