କନକ ବ୍ୟୁରୋ: ଶ୍ରୀକ୍ଷେତ୍ରକୁ ବିଶ୍ବସ୍ତରୀୟ କରିବା ପାଇଁ ପୂର୍ବ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଅଧିକାଂଶ କାମ ଅଧାରେ ଅଟକି ରହିଛି। ମୂଷା ନଈରୁ ଦଳକଢ଼ା ହେଉ କି ଅଠରନଳା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ସବୁ କାର୍ଯ୍ୟ ଅଧାରେ ଅଟକିଛି। ଯାହାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ। 

Advertisment

ଶହ ଶହ ବର୍ଷ ତଳର ଐତିହ୍ୟ, ଶ୍ରୀକ୍ଷେତ୍ରର ପ୍ରବେଶ ପଥ ଅଠରନଳା। ମାଟି କାମୁଡି ପଡ଼ିଛି ଅଠରନଳା ହେରିଟେଜ୍ ପ୍ରକଳ୍ପ। ପ୍ରାୟ ୧୩ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟରେ,  ଜାତୀୟ ଐତିହ୍ୟ ସ୍ମାରକି ଅଠରନଳା ବ୍ରିଜ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ପୂର୍ବ ସରକାର ଯୋଜନା କରିଥିଲେ। କିନ୍ତୁ ଏପର୍ୟ୍ୟନ୍ତ ପ୍ରକଳ୍ପ ସରିନଥିବା ବେଳେ ଠିକାସଂସ୍ଥା ଛୁ ମାରିଛି । ଫଳରେ ପ୍ରକଳ୍ପ ଅଧାଗଢ଼ା ହୋଇପଡ଼ି ରହିଛି। ଏଥିସହ ନର୍ଦ୍ଦମା ପାଣି ଓ ଅଠରନଳା ତଳ ମୂଷା ନଦୀରେ ଆବର୍ଜନା ଭର୍ତି ଯୋଗୁଁ ପୂରା ଅଂଚଳ ଦୁର୍ଗନ୍ଧମୟ ହୋଇଛି।  

ଐତିହାସିକ ମୂଷା ନଈର ସୌନ୍ଦର୍ଯ୍ୟକରଣ ପାଇଁ ଅବଢ଼ା ଯୋଜନାରେ ୪ବର୍ଷ ତଳୁ କାମ ଚାଲିଛି । ନୌବିହାର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ ଲାଗି ପ୍ରାୟ ୧୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଟେଣ୍ଡର ହେଲା ପରେ ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। କିନ୍ତୁ ପ୍ରକଳ୍ପ କାମରେ ମନ୍ଥରତା କାରଣରୁ ପ୍ରକଳ୍ପ ଶେଷ ହେବାରେ ଅନିଶ୍ଚିତତା ଦେଖାଦେଇଛି। ଏବେ ବି ଏହି ଐତିହାସିକ ନଈ ବିଲାତି ଦଳରେ ଭର୍ତ୍ତି ହୋଇ ରହିଛି। 

ତେବେ କୋଟି କୋଟି ଜଗନ୍ନାଥ ପ୍ରେମିଙ୍କ ଭାବାବେଗ ସହ ଜଡିତ ଏହି ଯୋଜନା ନାଁରେ କେତେ ଟଙ୍କା ବାଟମାରଣା ହୋଇଛି ? ତାହା ସାମନାକୁ ଆଣିବା ନୂଆ ସରକାରଙ୍କ ପାଇଁ ଆହ୍ବାନ ପାଲଟିଛି। ଏଥିସହ ଏହି ଐତିହ୍ୟର ସୁରକ୍ଷା ଓ  ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆଗେଇ ନେବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।