କନକ ବ୍ୟୁରୋ: ୱାକଫ ବିଲ୍‌କୁ ସମର୍ଥନ ପରେ ବିଜେଡିରେ ହଟଚମଟ ଲାଗି ରହିଛି । ପ୍ରତିଦିନ ନେତାଙ୍କ ନୂଆ ନୂଆ ବୟାନ ଆସୁଛି । ଏହିକ୍ରମରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଅତନୁ ସବ୍ୟସାଚୀ ନାୟକ । ସେ କହିଛନ୍ତି, “ନବୀନ ବାବୁ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନିଅନ୍ତି । ଆବଶ୍ୟକତା ପଡ଼ିଲେ ନିଷ୍ପତ୍ତି ନେବେ, ଅପେକ୍ଷା କରନ୍ତୁ । ସବୁ ସାଂସଦ ଓ ଦାୟିତ୍ୱରେ ଥିବା ନେତା ଗୋଟିଏ ଧାଡିରେ ଅଛନ୍ତି । କାହାର ଓଲମ ବିଲମ ନାହିଁ । ଘର ଭିତରେ ଖୁଟଖାଟ ହୁଏ । ଯଦିଓ ପ୍ରଭାତ ତ୍ରିପାଠୀ କିଛି କହିଛନ୍ତି, ମୋ ନାଁ ନେଇ ନାହାନ୍ତି । ମୋ DNA ରେ ତୋସାମ୍ୱାଦି କି ଚାମଚାଗିରି ନାହିଁ ।  ସେ ମୋ ବାପାଙ୍କୁ ଜାଣିଛନ୍ତି । ସେ ଶେଷ ଯାଏଁ ବିଜୁ ବାବୁଙ୍କ ସହ ଥିଲେ । ମୁଁ ବି ନବୀନ ବାବୁଙ୍କ ସହ ଅଛି । ଦାୟିତ୍ୱ ନମିଳିଲେ ବି ନବୀନ ବାବୁଙ୍କ ସହ ଅଛି । ପ୍ରଭାତ ଭାଇ ତ ଆଉ ବିଜେଡିରେ ନାହାନ୍ତି । ସେ ନିଜେ ଏହା ସ୍ୱୀକାର କରିଛନ୍ତି । ସେ ବିଜେଡିର ଆଭ୍ୟନ୍ତରୀଣ କଥା ପାଇଁ ଏତେ ବ୍ୟସ୍ତ କାହିଁକି ?" 

Advertisment

ଅତନୁ ଆହୁରି କହିଛନ୍ତି, ”ନବୀନ ବାବୁଙ୍କ ନେତୃତ୍ୱକୁ କେହି ଚ୍ୟାଲେଞ୍ଜ କରି ନାହାନ୍ତି । କିଏ ନିଜ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ । ଦେବାଶିଷ ବାବୁ ବି ଚ୍ୟାଲେଞ୍ଜ କରି ନାହାନ୍ତି । ଦଳ ବାହରେ କିଏ କଣ କହିଲେ ସମ୍ପର୍କ କଣ, କାହାକୁ କିଏ କଣ ଆକ୍ଷେପ କଲେ ତାହା ଅଲଗା କଥା । ଦଳ ଦୁଇ ଭାଗ ନୁହେଁ । ନବୀନଙ୍କ ନେତୃତ୍ୱରେ ଦଳ ଏକ । ସବୁ ଏକାଠି ହୋଇ ଅଛୁ । ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି । ୱାକଫ ବିଲ୍‌ ସମ୍ପର୍କରେ ସାଂସଦ ମୁନା ଖାନ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଧର୍ମ ନିରପେକ୍ଷତା ବଜାୟ ରହିଛି । ନବୀନ ପଟ୍ଟନାୟକ ଆମ ନେତା ୨୫ ବର୍ଷ ହେଲାଣି ବିଜେଡିର ନେତୃତ୍ୱ ନେଉଛନ୍ତି । ସେ କିଏ ନିଜେ ସୁବିଧା ପାଇଁ ଚ୍ୟାଲେଞ୍ଜ କରିଥିବେ । ଦଳ ଦୁଇ ଭାଗ ନୁହେଁ, ନବୀନଙ୍କ ନେତୃତ୍ୱରେ ଦଳ ଏକ, ସବୁ ଏକାଠି ହୋଇ ଅଛୁ । ସବୁବେଳେ ନବୀନ ବାବୁ ଠିକ ନିଷ୍ପତ୍ତି ନେଇଛନ୍ତି । ଲକ୍ଷଲକ୍ଷ କର୍ମୀ ନବୀନ ବାବୁଙ୍କ ପାଇଁ ଅଛନ୍ତି । ଦଳ ଶୃଙ୍ଖଳିତ, ନବୀନଙ୍କ ନିର୍ଦ୍ଦେଶ କାର୍ଯ୍ୟ  କରିବୁ ।“

ରାଜ୍ୟସଭାରେ ୱାକଫ ବିଲକୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି । କାରଣ ବିଲ୍‌କୁ ସମର୍ଥନ କରିନଥିଲେ ସାଂସଦ ମୁନ୍ନା ଖାନ୍ । ଏହାପରେ ନବୀନ ନିବାସ ପ୍ରତିଦିନ ନେତାଙ୍କ ଭିଡ଼ ଲାଗୁଛି । ଆଉ ଆଜି ଅତନୁ ସବ୍ୟସାଚୀ ନାୟକଙ୍କ ଏହାକୁ ନେଇ ପ୍ରତିକ୍ରିୟା ଆସିଛି ।