କନକ ବ୍ୟୁରୋ: ପ୍ରେମ ପାଇଁ କୌଣସି ବୟସ ସୀମା ନାହିଁ
ପ୍ରେମ ଦେହାତୀତ, ପବିତ୍ର
ସମ୍ମାନ, ସହାନୁଭୂତି ଓ ବୁଝାମଣାରେ ରୂପ ପାଏ ପ୍ରେମ
ଏହାକୁ ପୁଣି ଥରେ ପ୍ରମାଣ କରିଛନ୍ତି କେରଳର ଦୁଇ ବୟସ୍କ । ୭୯ ବର୍ଷୀୟ ବିଜୟରାଘବନ୍ ଓ ୭୫ ବର୍ଷୀୟ ସୁଲୋଚନା ଦେବୀ । ଦୁହେଁ ଦୁହିଁଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି , କଥା ଦେଇଛନ୍ତି ଶେଷ ନିଃଶ୍ବାସ ଯାଏଁ ଏକାଠି ଚାଲିବେ ବୋଲି । କେରଳର ରାମବର୍ଷାପୂରମ୍ । ଏଠାରେ ରହିଛି ସରକାରଙ୍କ ଦ୍ବାରା ପରିଚାଳିତ ବୃଦ୍ଧାଶ୍ରମ । ଏଠି ଅନେକ ଅସହାୟ ମୁହଁ, ମନରେ ଅକୁହା କୋହ ଆଉ ଆଖି କୋଣରେ ଢଳଢଳ ଉଷୁମ ଲୁହ । ଏମାନଙ୍କ ଭିତରେ ଦୁଇଟି ହସମୁଖା ମୁହଁ ବାରି ହୋଇପଡ଼େ । ଦୁହେଁ ବୟସର ସାୟାହ୍ନରେ । ଚଳିତ ବର୍ଷ ଜୁଲାଇ ୭ ତାରିଖରେ ଏ ବୃଦ୍ଧାଶ୍ରମରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ମାହୋଲ । ଯାହାର କେନ୍ଦ୍ରବିନ୍ଦୁ ଏଇ ଦୁଇ ଚେହେରା । ସମସ୍ତଙ୍କ ଉପସ୍ଥିତିରେ ସୁଲୋଚନାଙ୍କ ମଥାରେ ସିନ୍ଦୂର ଦେଇ ଗଳାରେ ମଙ୍ଗଳସୂତ୍ର ଦେଇ ଆପଣାର କରିନେଲେ ବିଜୟରାଘବନ୍ । ଏ ଖବର ପୁରୁଣା ହୋଇପାରେ କିନ୍ତୁ ମନକୁ ଛୁଇଁଲା ବୋଲି ଏ ଉପସ୍ଥାପନା ।
ଦୁଇ ବୟସ୍କଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ପଜିଟିଭ୍ ପ୍ରତିକ୍ରିୟା ଆସିଥିଲା । ଦୁହିଁଙ୍କ କାହାଣୀ ଆପଣଙ୍କ ଆଖି ଭିଜାଇଦେବ । ସବୁ ତିରସ୍କୃତ ବୟସ୍କଙ୍କ ପରି ଏମାନେ ଜରାଶ୍ରମରେ ଜୀବନ କାଟୁଥିଲେ । କିନ୍ତୁ ମନକୁ ଯେମିତି କେହି ବୁଝିବାକୁ ପାଖେଇଆସିଲା । ଲାଗିଲା ଯେମିତି ପ୍ରେମ ବିନା ବଞ୍ଚିବା , ବାଟ ଚାଲିବା ଭାରି କଠିନ । ହେଲେ ପାଖରେ କେହି ପିଠି ଥାପୁଡ଼ାଇବାକୁ ଥିଲେ, ଆହା ପଦେ କହିବାକୁ ଥିଲେ ନିର୍ଜୀବ ମଣିଷଟେ ବି ଜୀଇଁଉଠେ । ନିସ୍ତେଜ ଦେହରେ ଜୀବନ ପଶିଯାଏ । ପ୍ରେମରେ ଦେହ ନ୍ୟୁନ, ମନ ଆଉ ହୃଦୟ ସର୍ବସ୍ବ ,ଯାହାକୁ ନେଇ ପ୍ରକୃତରେ ମଣିଷ ବଞ୍ଚିଯାଏ । ସେଥିପାଇଁ ତ ପ୍ରତି ମଣିଷ କେଉଁଠୁ ନା କେଉଁଠୁ ଟିକେ ସ୍ନେହ , ଆପଣାପଣ ଖୋଜେ । ଆଉ ଏତକ ପାଇଲେ ଗୋଟାପଣେ ତା’ର ହୋଇଯାଏ ।
ସମସ୍ତଙ୍କ ପରି ବିଜୟରାଘବନ୍ ଓ ସୁଲୋଚନା ବି ସଂସାର କରିଥିଲେ । ସ୍ବାମୀ, ସ୍ତ୍ରୀ, ପିଲାମାନଙ୍କ ଭିତରେ ବାନ୍ଧି ହୋଇଥିଲେ । ହେଲେ ସେ ସମ୍ପର୍କରେ ସରାଗର ଅଭାବ ଥିଲା । ସବୁଥାଇ ବି ଖାଁ ଖାଁ
ପଣ ଥିଲା । ସମସ୍ତଙ୍କ ପାଇଁ ସବୁ ଦାୟିତ୍ବ କରିବା ପରେ ବି କେହି ତାଙ୍କର ହେଲେନି । ସେଥିପାଇଁ ତ ସେ ଜରାଶ୍ରମର ବାଟକୁ ବାଛିଲେ ।
ଏତେସବୁ କଷ୍ଟ ପରେ ବି ଜୀବନ ବୋଧହୁଏ ଏମାନଙ୍କ ପାଇଁ ଖୁସିର ଫୁଆରଟେ ରଖିଥିଲା । ଯାହା ଏହି ଜରାଶ୍ରମରେ ଖୋଲିଥିଲା । ଏହି ବୃଦ୍ଧାଶ୍ରମକୁ ୨୦୧୯ରେ ଆସିଥିଲେ ବିଜୟରାଘବନ୍ ଓ ୨୦୨୪ରେ ସୁଲୋଚନା ଦେବୀ । ଏମାନଙ୍କ ଭିତରେ ହାଲକା କଥାବାର୍ତ୍ତା, ମର୍ଣ୍ଣିଙ୍ଗ ୱାକ୍, ନୀରବତା ଆଉ ବନ୍ଧୁତା… ସବୁତକ ଫେଣ୍ଟାଫେଣ୍ଟି ହୋଇ ରୂପରେଖ ପାଇଲା । ଦୁହେଁ ଦୁହିଁଙ୍କ ମନକଥା କହିଲେ… ଆଉ ଜୀବନର ଶେଷ ଯାଏଁ ଏକାଠି ରହିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ କେରଳ ସୋସିଆଲ ଜଷ୍ଟସ୍ ଡିପାର୍ଟମେଣ୍ଟ ସ୍ବୀକୃତି ଦେଲେ । ଆଉ ଦୁହଁଙ୍କ ବିବାହ ଆୟୋଜନ କଲେ । ସୁଲୋଚନାଙ୍କ ମଥାରେ ସିନ୍ଦୂର ଦେଇ ସୁଲୋଚନାଙ୍କୁ ଆପଣାର କରିନେଲେ ବିଜୟରାଘବନ୍ । ଏଥିରେ ଖୋଦ୍ କେରଳ ଉଚ୍ଚଶିକ୍ଷା ଓ ସାମାଜିକ ନ୍ୟାୟ ବିଭାଗୀୟ ମନ୍ତ୍ରୀଙ୍କ ସହ ସିଟି ମେୟର, ଓ ଏକାଧିକ ଉଚ୍ଚାଧିକାରୀ ଉପସ୍ଥିତ ରହି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଲେ ।
ବିଜୟରାଘବନ୍ ଓ ସୁଲୋଚନାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହାକୁ ଖୁବ୍ ପସନ୍ଦ କରିଛନ୍ତି
ୟୁଜର୍ସ। Its Never too late to find love କ୍ୟାପ୍ସନ୍ ଦେଇ ସେୟାର ବି କଲେ । ଏ ଦୁଇ ନୀରିହ ଆଖିକୁ ଦେଖିଲେ ଲାଗୁଛି, ଏଠି ଦେହର ଆକର୍ଷଣ ମୋଟେ ନୁହଁ ବରଂ ଭରି ରହିଛି ନରୋଳା ସ୍ନେହ, ଭଲପାଇବା, ଆତ୍ମୀୟତା ।
ଏ ଦୁହଁଙ୍କୁ ଦେଖିଲେ ସ୍ପଷ୍ଟ ଅନୁଭବ ହୁଏ, ପ୍ରକୃତରେ ପ୍ରେମ ସମୟ, ବୟସ ସୁନ୍ଦର ଚେହରା, ଧନ ସମ୍ପତ୍ତି ସବୁରି ଉପରେ । ହେହେରା ମଳିନ ପଡ଼ିଯିବ ହେଲେ ହୃଦୟର ସ୍ପନ୍ଦନ ସେମିତି ଶେଷ ଯାଏଁ ସ୍ପନ୍ଦନ କରୁଥିବ। ସୁଲୋଚନା ଆଉ ବିଜୟରାଘବନଙ୍କ କାହାଣୀ କହୁଛି ,ଏବେବି ଡେରି ହୋଇନି, ଆଶା ବାନ୍ଧିବାକୁ ସ୍ବପ୍ନ ଦେଖିବାକୁ ।ହେଉପଛେ ଜୀବନର ଶେଷ କେଇଟା ଦିନ କିନ୍ତୁ ହାତଧରି ଚାଲିବାକୁ କେହି ମିଳିଗଲେ ପାଦ ଆପେ ଆପେ ବଢ଼ିଯାଏ ଏକ ଅମୃତ ବିନ୍ଦୁ ଆଡ଼କୁ । ବାସ୍… ଏତିକିରେ ବୋଧେ ଜୀବନର ପୂର୍ଣ୍ଣତା…
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2025/10/02/48-2025-10-02-12-46-24.jpg)