କନକ ବ୍ୟୁରୋ : ବଡଚଣା ବ୍ଲକ ଛତିଆଠାରେ ଆୟୋଜିତ ହୋଇଛି ଜିଲ୍ଳାସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ଭଳିକି ଭଳି ହାତ ତିଆରି ସାମଗ୍ରୀରେ ଝଲସୁଛି ପ୍ରଦର୍ଶନୀର ପ୍ରତିଟି ଷ୍ଟଲ । କାଇଁଚ, ପଥର, ମାଟି, କାଠ, ସବାଇ ଘାସ, ଜଉ, ବାଉଁଶରେ ତିଆରି ରକମ ରକମର କଳାକୃତି ପ୍ରଦର୍ଶନ କରିଛନ୍ତି ବିଭିନ୍ନ ପ୍ରାନ୍ତରରୁ ଆସିଥବା ଗ୍ରାମୀଣ କାରିଗର । ବିଶେଷକରି ପଥରରେ ତିଆରି ମୂର୍ତି, ଆଦିବାସୀ କଳାକୃତୀ, କାଇଁଚ ଓ ବାଉଁଶରେ ତିଆରି ସାମଗ୍ରୀ ମେଳାର ଆକର୍ଷଣ ବଢାଇଛି । ଓଡିଶାର କଟକ, ଯାଜପୁର, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଆଦି କୋଡିଏଟି ଜିଲ୍ଳାରୁ କାରିଗରମାନେ ଭାଗ ନେଇ ସେମାନଙ୍କର କଳାକୃତୀର ପ୍ରଦର୍ଶନ କରିଛନ୍ତି ।
ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଗ୍ରାମୀଣ କାରିଗରଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ ନେଇ ଏହି ମେଳାର ଆୟୋଜନ କରାଯାଇଥିଲା । ଅର୍ଥନୈତିକ ଅଭିବୃଦ୍ଧି ଓ କାରିଗରଙ୍କୁ ପରିଚୟ ଦେଇଛି ଏହି ମେଳା । ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଯଥେଷ୍ଟ ଚାହିଦା ରହିଥିବା ବେଳେ ସୁନ୍ଦର ସୁନ୍ଦର ସାମଗ୍ରୀ ଗ୍ରାହକଙ୍କୁ ଅକୃଷ୍ଟ କରୁଛି । ଚଳିତ ବର୍ଷ ଏହି ମେଳାରେ ୮୦ଟି ଷ୍ଟଲ ଲାଗିଥବା ବେଳେ ଜିଲ୍ଳା ହସ୍ତଶିଳ୍ପ ବିଭାଗ ପକ୍ଷରୁ କାରିଗର ମାନଙ୍କୁ ସମସ୍ତ ମୌଳିକ ସେବା ଯୋଗାଇ ଦିଆଯାଇଥବା କହିଛନ୍ତି ଜିଲ୍ଳା ସହକାରୀ ହସ୍ତଶୀଳ୍ପ ଅଧିକାରୀ ।
ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଗ୍ରାମୀଣ କାରିଗରଙ୍କ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇଛି ।