କନକ ବ୍ୟୁରୋ : ମହାଶିବରାତ୍ରୀ ପାଇଁ ଗାଁଠୁ ସହର ସବୁଠି ଚଳଚଂଚଳ । ତେବେ ଜାଗରରେ ଦୀପ ଜାଳିବାର ପରମ୍ପରା ଅନନ୍ୟ । ବଜାରକୁ ପ୍ଲାଷ୍ଟିକ୍, ଫାଇବର ଓ ଚାଇନା ଦୀପ ଆସୁଥିଲେ ବି ମାଟି ଦୀପର ଚାହିଦା କମିନି । ଆଉ ଏଥିପାଇଁ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସିରେଇ ଗାଁର ମହିଳା ମାନେ ମାଟି ଦୀପ ତିଆରି କରିଛନ୍ତି । ୨୦ ଜଣ ମହିଳା ମିଶି ଶିରେଇ ଟେରାକୋଟା ଉତ୍ପାଦକ ଗୋଷ୍ଠୀ ଗଠନ କରିଛନ୍ତି । ବିଭିନ୍ନ ପ୍ରକାରର ମାଟି ଦୀପ ତିଆରି କରି ଶୈବପୀଠରେ ବିକ୍ରି କରୁଛନ୍ତି।  ଚଳିତ ବର୍ଷ ୬୦ ହଜାର ଦୀପ ତିଆରି କରି ଲିଙ୍ଗରାଜ ମନ୍ଦିରକୁ ୨୦ ହଜାର ଓ ଲୋକନାଥ ମନ୍ଦିରକୁ ୧୫ ହଜାର ଓ ପୁରୀ ଜଗନ୍ନାଥଙ୍କ ମନ୍ଦିରକୁ ୧୫ ହଜାର ଦୀପ ବିକ୍ରି ପାଇଁ ବରାଦ ରଖିଛନ୍ତି ।

Advertisment

ଜାଗର ପାଇଁ ୧୦ ଦିନ ହେଲା ମହିଳାମାନେ ଦୀପ ତିଆରି କରୁଛନ୍ତି । କଂଚା ମାଟିକୁ ଚକଟି ସେଥିରେ ଦୀପ ତିଆରି କରି ତାକୁ ଖରାରେ ଶୁଖାଇ ଭାଟିରେ ପୋଡ଼ିବା ପରେ ଦୀପ ପ୍ରସ୍ତୁତି କରିଛନ୍ତି ମହିଳା । ପୁରୀ, ଭୁବନେଶ୍ୱର, କଟକ, ପିପିଲି, ଡେଲାଙ୍ଗ, ସାକ୍ଷୀଗୋପାଳ, ବ୍ରହ୍ମପୁର ଭଳି ଅନେକ ଶୈବ ପୀଠରେ ହାତ ତିଆରି ମାଟି ଦୀପ ବିକ୍ରି କରି ଭଲ ରୋଜଗାର କରିବା ପାଇଁ ଆଶା ରଖିଛନ୍ତି । 

ଗୋଟିଏ ଗୋଟିଏ ଦୀପର ଦାମ ୫ ଟଙ୍କାରୁ ଆରମ୍ଭ କରି ୫୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଅନେକ ସମୟରେ କୌଳିକ ବୃତିକୁ ବଂଚାଇ ରଖିବା ପାଇଁ କାରିଗର ମାନେ ସଂଘର୍ଷ କରୁଥିବା ବେଳେ ମହିଳା ମାନେ ରୋଜଗାର କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଯାହା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।