କନକ ବ୍ୟୁରୋ : ରାତି ଅଧରେ ଚାଲିଛି ବେଆଇନ ବାଲିଚାଲାଣ । ନା ପ୍ରଶାସନର ଡର ଅଛି ନା ପୁଲିସର । ପିପିଲି ଡେଲାଙ୍ଗ ଅଂଚଳରେ ଏଭଳି ବାଲିଚୋରି ଧରିଛନ୍ତି ପୂର୍ବତନ ବିଧାୟକ ରୁଦ୍ର ମହାରଥୀ । ନିଜେ ବାଲିଘାଟର ଗୋଟିଏ ପାଖରେ ଛିଡ଼ାହୋଇ ଅନ୍ୟ ପାର୍ଶ୍ବରେ ରାତି ଅନ୍ଧାରରେ ହେଉଥିବା ବାଲି ଚୋରାଚାଲାଣର ଭିଜୁଆଲ ଦେଖାଇଛନ୍ତି ରୁଦ୍ର। ଏପରିକି ଏଥିପ୍ରତି ଦୃଷ୍ଟି ଦେବାକୁ ପୁରୀ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କୁ ବି ଅନୁରୋଧ କରିଛନ୍ତି ମହାରଥୀ। ଧାଡ଼ିବାନ୍ଧି କିଭଳି ଟ୍ରକ, ଜେସିବି ବାଲିଚାଲାଣ କରୁଛନ୍ତି ତାହାର ଭିଜୁଆଲ ବି ଦେଖାଉଛନ୍ତି।
ରୁଦ୍ର ମହାରଥୀଙ୍କ ଏଭଳି ରାତିଅଧିଆ ସୋସିଆଲ ମିଡିଆ ପୋଷ୍ଟ ପରେ ଆକ୍ସନକୁ ଆସିଛି ପୁରୀ ପ୍ରଶାସନ । ପିପିଲିର ବିଭିନ୍ନ ବେଆଇନ ବାଲି ଘାଟ ଉପରେ ମିଳିତ ଭାବେ ଚଡାଉ କରିଛନ୍ତି ତହସିଲଦାର, ପୁଲିସ, ଖଣିଜ ବିଭାଗର ଅଧିକାରୀ । ଚଢାଉ ସମୟରେ ନଦୀବନ୍ଧରେ ଥିବା ଦୁଇଟି ଜେସିବିକୁ ଜବତ କରିଛନ୍ତି । ଖଣିଜ ଅଧିକାରୀ କହିଛନ୍ତି ଏହା ଏକ ନିୟମିତ ଯାଂଚ ପ୍ରକ୍ରିୟା ।
ପିପିଲିର ଅନେକ ଅଂଚଳରେ ଦୀର୍ଘଦିନ ଧରି ଏଭଳି ବେଆଇନ ବାଲିଚାଲାଣ ହେଉଛି । ଏବେ ପ୍ରଶ୍ନ ଉଠୁଛି, ବିଧାୟକ ଥିବାବେଳେ କାହିଁକି ରୁଦ୍ର ବେଆଇନ ବାଲି ଚୋରାଚାଲାଣକୁ ସାମ୍ନାକୁ ଆଣିଲେ ନାହିଁ?
- ଘଟଣାକୁ ନେଇ ରାଜନୀତି ହେଉଛି କି?
- ପିପିଲିରେ ବେଆଇନ ବାଲିଚାଲାଣ ପଛରେ କିଏ?
- ନେତା-ପ୍ରଶାସନିକ ଅଧିକାରୀ ମଧୁଚନ୍ଦ୍ରିକାରେ ଚାଲିଛି କି ବେଆଇନ ବାଲିଚୋରାଚାଲାଣ?