କନକ ବ୍ୟୁରୋ: ମଧ୍ୟପ୍ରଦେଶର ଖଣ୍ଡୱା ଓ ଶାହଡୋଲ ଜିଲ୍ଲାରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଘଟଣାରେ ଅନ୍ୟୂନ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଖଣ୍ଡବାର ପନ୍ଧାନା ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ଏକ ପୋଖରୀ ଭିତରେ ଖସିପଡ଼ିବାରୁ ୧୧ ଜଣ ଗ୍ରାମବାସୀ ବୁଡ଼ି ଯାଇଥିଲେ । ଅନ୍ୟ ଏକ ଘଟଣାରେ, ସେହି ଖଣ୍ଡୱାର ଅଞ୍ଜନଗାଓଁ ଗ୍ରାମରେ ଏକ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଉପରେ ଏକ ନିୟନ୍ତ୍ରଣହୀନ ଡିଜେ ଗାଡ଼ି ଚଢ଼ିଯିବାରୁ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ପ୍ରାୟ ୮୦୦ କିଲୋମିଟର ଦୂର ଶାହଡୋଲ ଜିଲ୍ଲାର ଗୋହପାରୁରେ ସୋନ ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ଜଣେ ୧୬ ବର୍ଷୀୟ ବାଳକ ଓ ଜଣେ ୨୨ ବର୍ଷୀୟ ଯୁବକ ଭାସି ଯାଇଥିଲେ ।
ପନ୍ଧାନା ଥାନା ଅଞ୍ଚଳର ଜାମଲି ଗ୍ରାମରେ ଅପରାହ୍ଣ ପ୍ରାୟ ୫ଟା ସମୟରେ ରାଜଗଡ଼ ଗ୍ରାମର ୨୦-୨୫ ଗ୍ରାମବାସୀ ବିସର୍ଜନ ପାଇଁ ଦୁର୍ଗାମୂର୍ତ୍ତି ନେଇ ଯାଉଥିବା ଏକ ଟ୍ରାକ୍ଟର-ଟ୍ରଲି ରାଜ୍ୟ ଜଳସମ୍ପଦ ବିଭାଗର ଏକ ଛୋଟ ଡ୍ୟାମ୍ରେ ଓଲଟି ପଡ଼ିବାରୁ ସମସ୍ତେ ବୁଡ଼ିଯାଇଥିଲେ । ଇନ୍ଦୋର ଗ୍ରାମୀଣ ପୁଲିସ ଇନ୍ସପେକ୍ଟର ଜେନେରାଲ ଅନୁରାଗ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୧୧ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ SDIRF ଉଦ୍ଧାରକାରୀ ଦଳ ପୋଖରୀରେ ଖୋଜାଖୋଜି ଜାରି ରହିଥିଲା । ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
ମୃତକମାନେ ୯ରୁ ୨୫ ବର୍ଷ ବୟସର ଥିଲେ, ଯେଉଁଥିରେ ୧୫-୨୫ ବର୍ଷ ବୟସର ଛଅ ଜଣ ମହିଳା ଏବଂ ସବୁଠାରୁ ସାନ ନଅ ବର୍ଷର ବାଳକ ଥିଲେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଉଜ୍ଜୟିନୀ ଜିଲ୍ଲାରେ ଜଣେ ୧୨ ବର୍ଷର ବାଳକ ସମେତ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଚମ୍ବଲ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚାରି ଜଣ ଲୋକ ଗାଧୋଉଥିବା ବେଳେ ବାଳକଟି ହଠାତ୍ ବ୍ରିଜ୍ ଉପରେ ଏକ ଟ୍ରାକ୍ଟର ଚଳାଇବା ଆରମ୍ଭ କରିଥିଲା, ଯାହା ନଦୀରେ ଖସିପଡିବାରୁ ସେମାନଙ୍କର ମୃତ୍ୟୁ ଘଟିଥିଲା ।