କନକ ବ୍ୟୁରୋ : ବୟସ ଆଗକୁ ବଢ଼ିଲାଣି । ଶରୀର ବିଶ୍ରାମ ଖୋଜିଲାଣି । କିନ୍ତୁ ସମୟର ବୁଢିଆଣୀ ଜାଲ, ଭଳି ସମସ୍ୟା ଜାଲରେ ଛନ୍ଦି ହୋଇଯାଇଛି ଜୀବନ । ହସଖୁସିର ସଂସାରରେ ଦୁଃଖ ଚିର ସହଚର ପାଲଟିଛି । ଆଳି ବ୍ଲକ ମହାଦେଇପାଟଣା ଗାଁରେ ରୁହନ୍ତି ହୃଷିକେଶ ସାହୁଙ୍କ ପରିବାର। ଭଙ୍ଗା ଚାଳଘରେ ରୋଗୀଣା ପତ୍ନୀ ଓ ମାନସିକ ବିକାରଗ୍ରସ୍ତ ପୁଅ ଝିଅ ସହ ରହୁଛନ୍ତି । ଝିଅ ସବିତା ୨୫ ବର୍ଷ ହେଲା ଅସୁସ୍ଥ ହୋଇ ଶଜ୍ୟାଶାୟୀ । ୫ ବର୍ଷ ହେଲା ପୁଅ ମଣିରାମ ବି ମାନସିକ ରୋଗୀ । ସ୍ତ୍ରୀ କନକଲତା ପକ୍ଷାଘାତରେ ପୀଡ଼ିତ । ଏଭଳି ସ୍ଥିତିରେ ୭୦ ବର୍ଷୀୟ ବୃଦ୍ଧ ହୃଷିକେଶ ଯାହା ମୁଲଲାଗି ଆଣୁଛନ୍ତି ସେଥିରେ ଘର ଚଳୁଛି, ପରିବାର ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ବାଧ୍ୟ ହେଉଛନ୍ତି ।
ଝିଅ ଘରେ ପଡ଼ିପଡ଼ି ପୁରା ପଙ୍ଗୁ ପାଲଟିଗଲେଣି। ବିଛଣାରୁ ଉଠି ପାରୁନାହାନ୍ତି । ଦଦରା ଘରେ ଦୟନୀୟ ସ୍ଥିତିରେ ଥିବା ହୃଷିକେଶଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ପୁରା ଘଟଣାର ଅନୁଧ୍ୟାନ କରି ଆବଶ୍ୟକ ମୁତାବକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ଆଳି ବ୍ଲକ ପ୍ରଶାସନ ।
ତେବେ କେବେ ହୃଷିକେଶଙ୍କ ପରିବାର ପାଇଁ ସରକାରଙ୍କ ସହାୟତାର ହାତ ବଢୁଛି ତାହା ସମୟ କହିବ। ।