କନକ ବ୍ୟୁରୋ : ଲଘୁଚାପ ସମୟରେ ଭୟଙ୍କର ହେଉଛି ସମୁଦ୍ର । କୂଳ ଲଙ୍ଘୁଛି, ଜନବସତି ଆଡକୁ ମାଡ଼ି ଆସୁଛି । କ୍ଷୟ ହେଉଛି ବାଲୁକା ସ୍ତୁପ, ନଷ୍ଟ ହେଉଛି ଝାଉଁ ଜଙ୍ଗଲ, ଆତଙ୍କରେ ଉପକୂଳବାସୀ । ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ୧୨ଟି ଗାଁ ଏବେ ସମୁଦ୍ର ଆଁରେ ଲୀନ ହେବାକୁ ବସିଲାଣି ଓ ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ତଣ୍ଡାହର, ଛେନୁ, ଉଦୟକଣି, ଡାଳୁଅକାଣି, ଅଣକଣା, ଗୁଣ୍ଡଳବା, କେଉଟଜଙ୍ଗା ସହ କୋଣାର୍କ ବେଳାଭୂମି ମାର୍ଗରେ ବସବାସ କରୁଥିବା ଗାଁର ଲୋକେ ।
ଜୁଆର ମାଡ଼ରେ ଉପକୂଳ ଗାଁ ଗୁଡ଼ିକୁ ସୁରକ୍ଷା ଦେଉଥିବା ବାଲିବନ୍ତ ଓ ଝାଉଁ ଜଙ୍ଗଲ ନଷ୍ଟ ହେଉଛି । ଝାଉଁ ଗଛ ଗୁଡ଼ିକ ଉପୁଡ଼ି ସମୁଦ୍ର ଗର୍ଭରେ ଲିନ ହେଲାଣି । ଯାହାର ପ୍ରମାଣ ସମୁଦ୍ର କୂଳରେ ପଡିରହିଛି ଶୁଖିଲା ଝାଉଁଗଛ । ଦଶବର୍ଷ ପୂର୍ବେ ସମୁଦ୍ର ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ସମୁଦ୍ର ମାତ୍ର କିଛି ମିଟର ଦୂରରେ ରହିଥିବା କହିଛନ୍ତି ଗ୍ରାମବାସୀ ।
ସମୁଦ୍ରକୁଳ ଖାଇବା ସହ ଜଙ୍ଗଲ ନଷ୍ଟ ହେବା କାରଣରୁ ଜନବସତି ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।