କନକବ୍ୟୁରୋ : ଆଜି ବି ସରଗରମ ହେବ ବିଧାନସଭା। ଗୃହରେ ଦେଖିବାକୁ ମିଳିପାରେ ବିରୋଧୀଙ୍କ ହଟ୍ଟଗୋଳ । ଓଡ଼ିଆ ଅସ୍ମିତା ଏବଂ ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହ କମ୍ପାଉଛନ୍ତି ବିରୋଧୀ । ଜୟନାରାୟଣଙ୍କ ମନ୍ତବ୍ୟ ବି ସୃଷ୍ଟି କରୁଛି ଝଡ଼ । ସୋମବାର ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ । ଆଜି ମଧ୍ୟ ସମାନ ଅବସ୍ଥା ଦେକିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଗୃହକାର୍ଯ୍ୟ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି ।
ସେପଟେ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ ବିରୋଧ ପ୍ରଦର୍ଶନ । ଓଡ଼ିଶା ବିଭାଜନ ଚଳିବ ନାହିଁ ନାରା ଦେଇ ଜୟ ନାରାୟଣଙ୍କ ଘର ଆଗରେ ପ୍ରତିବାଦ କରିଛି ବିଜେଡି । କଳା ପତାକା ପ୍ରଦର୍ଶନ ସହ ଘରେ ପଶିବାକୁ ଉଦ୍ୟମ କରିଛନ୍ତି ବିଜେଡି ନେତା ଓ କର୍ମୀ । ଜୟଙ୍କ ଏହି ବୟାନ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ ବୋଲି କହିଛି ଦଳ ।
ଓଡ଼ିଆ ଅସ୍ମିତା କଥା କହି ସରକାରକୁ ଆସିଲା ବିଜେପି । ହେଲେ କ୍ଷମତାକୁ ଆସିବା ପରେ ଓଡ଼ିଶାକୁ ବିଭାଜନ କରିବାକୁ ଷଡଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି କି ମନ୍ତ୍ରୀ କେହି ଜଣେ ବି ଜୟ ନାରାୟଣଙ୍କ ମନ୍ତବ୍ୟକୁ ନେଇ କାହିଁକି ସ୍ପଷ୍ଟୀକରଣ ଦେଉନାହାନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।
ପୋଲିସ ବିକ୍ଷୋଭକାରୀଙ୍କୁ ଉଠାଇନେବା ସହ ଜୟନାରାୟଣଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛି । ଏଥିସହ ଆଉ ଏକ ଘଟଣା ବିଧାନସଭାରେ ବିଧାୟକ ବାବୁ ସିଂ ସାଂଘାତିକ ଅଭିଯୋଗ କରିଛନ୍ତି ।
ବାବୁ ସିଂହ କହିଛନ୍ତି, ବିଜୁବାବୁଙ୍କ ବିଷୟରେ ଆଲୋଚନା ହୋଇଥାନ୍ତା । ଆମେ ପ୍ରସ୍ତୁତ ଥିଲୁ । ବିଜୁ ବାବୁଙ୍କ ଜୀବନଦ୍ଦଶାରେ ବିଜେଡି ବିଜୁ ବାବୁଙ୍କୁ ସମ୍ମାନ ଦେଇନାହଁ । ବିଜୁ ବାବୁଙ୍କୁ ନବୀନ ବାବୁ ଘୃଣା କରୁଥିଲେ ବୋଲି କହିଛନ୍ତି ବାବୁ ସିଂ । ସେ ଆହୁରି କହିଛନ୍ତି , ବିଜୁବାବୁଙ୍କ ହସ୍ପିଟାଲର ବିଲ୍ ୨୨ ଲକ୍ଷ ଟଙ୍କା ଦେବା ପାଇଁ ନବୀନ ବାବୁ ଲୁଚିଥିଲେ ।
ଦିଲ୍ଲୀପ ରାୟ ହସ୍ପିଟାଲ ରେ ବିଲ୍ ପେମେଣ୍ଟ କରିବା ପରେ ମରଶରୀର ବାହାରକୁ ଆସିଥିଲା । ବିଜୁ ବାବୁଙ୍କ ଦଶାହରେ ନବୀନ ବାବୁ ନଣ୍ଡା ହେବାକୁ ରାଜି ହେଉନଥିଲେ। ତା ଙ୍କ ଭଉଣୀ ଏବଂ କିଛି ନେତା ଅନୁରୋଧ କରିବା ପରେ ନଣ୍ଡା ହୋଇଥିଲେ । ସେମାନେ ଆଜି ଅସ୍ମିତା କଥା ବିଜୁ ବାବୁଙ୍କ କଥା କହୁଛନ୍ତି ।