କନକ ବ୍ୟୁରୋ: ଜନଗଣନା ପ୍ରକ୍ରିୟା ଆରମ୍ଭ ଭିତରେ ଓଡ଼ିଶା ରାଜନୀତିରେ ବଡ ଧରଣର ପରିବର୍ତ୍ତନର ଆଭାସ ମିଳିଛି । ଜନଗଣନାରେ କେବଳ ଜନସଂଖ୍ୟାର ହିସାବକିତାବ ହେବନି ବରଂ ରାଜନୀତିର ମିଶାଣ ଫେଡ଼ାଣକୁ ମଧ୍ୟ ଓଲଟପାଲଟ କରିଦେବ । ବଦଳି ଯାଇପାରେ ବିଧାନସଭାର ଭୂଗୋଳ । ସୀମା ପୁନଃନିର୍ଦ୍ଧାରଣ ସହ ବିଧାନସଭାର ଆସନ ସଂଖ୍ୟା ବଢ଼ିବ । ସବୁଠୁ ଅଧିକ ଫୋକସରେ ରହିବ ସଂରକ୍ଷଣ ବ୍ୟବସ୍ଥା । ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ତେଣୁ କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ? ଏଭଳି ପ୍ରଶ୍ନ ଏବେ ନେତାଙ୍କ ମନରେ ଛନକା ଭରିଛି ।
ଅନ୍ୟପଟେ ଜାତି ଜନଗଣନା ପାଇଁ ମୋହର ବାଜିଥିବା ବେଳେ ଉଭୟ ଶାସକ ଓ ବିରୋଧୀ ଏବେ ଓବିସି କାର୍ଡ ଖେଳୁଛନ୍ତି । ତେଣୁ ବିଧାନସଭାର ବର୍ଦ୍ଧିତ ଆସନରେ ଓବିସିଙ୍କୁ ହକ୍ ମୁତାବକ ଭାଗ ମିଳିବ କି ନାହିଁ ତାହା ଆଲୋଚନାର ପ୍ରସଙ୍ଗ ପାଲଟିଛି । ମୋଟାମୋଟି ଭାବେ କହିବାକୁ ଗଲେ, ଜନଗଣନା ପରେ ହେବାକୁ ଥିବା ସୀମା ପୁନଃ ନିର୍ଦ୍ଧାରଣ ଓଡ଼ିଶା ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବ ।
୨୦୧୧ରେ ଶେଷଥର ପାଇଁ ଦେଶରେ ଜନଗଣନା ହୋଇଥିଲା । ପରେ କୋଭିଡ୍, ନିର୍ବାଚନ ଓ ଅନ୍ୟାନ୍ୟ କାରଣ ପାଇଁ ବିଳମ୍ବିତ ହୋଇଛି ଜନଗଣନା । ୨୦୨୬ରେ ଜନଗଣନା ପାଇଁ ସବୁଜ ସଙ୍କେତ ଦେଇଛି କେନ୍ଦ୍ର । ଏପରିକି ରାଜ୍ୟସ୍ତରରେ ଜନଗଣନା ପ୍ରକ୍ରିୟାକୁ ତ୍ବରାନିତ୍ବ କରିବାକୁ ଆଇଏଏସ୍ ନିଖିଳ ପବନ କଲ୍ୟାଣଙ୍କୁ ଜନଗଣନା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି । କମ ସମୟ ମଧ୍ୟରେ ଜନଗଣନା ସାରିବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଜନସଂଖ୍ୟା ଆଧାରରେ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣର ସଙ୍କେତ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ତେବେ ଜନଗଣନା ପାଇଁ ତତ୍ପରତା ଯେତିକି ପ୍ରକାଶ ପାଉଛି, ନେତାଙ୍କ ମନରେ ଭୟ ସେତିକି ବଢୁଛି । ସୀମା ନିର୍ଦ୍ଧାରଣ ହେଲେ ପାରମ୍ପରିକ ଆସନ ହାତରୁ ଚାଲିଯିବନି ତ? ସୀମା ପୁନଃନିର୍ଦ୍ଧାରଣ ପାଇଁ ରାଜନୈତିକ ଭବିଷ୍ୟତ ସଙ୍କଟ ଭିତରକୁ ଠେଲି ହୋଇଯିବନି ତ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/06/03/6NSQW7aAxQJTrOtwaE9N.jpg)