କନକ ବ୍ୟୁରୋ : ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ୩ ଥର ମୁଲତବୀ ହୋଇଛି ଗୃହକାର୍ଯ୍ୟ । ବିରୋଧୀ ଦଳର ମହିଳା ନିର୍ଯାତନା, ଜୟନାରାୟଣଙ୍କ ବୟାନ ଓ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଶାସକ ଦଳକୁ ଅକଳରେ ପକାଇଛି । ଯାହାକୁ କାଉଣ୍ଟର କରିବାକୁ ଯାଇ ପୂର୍ବ ସରକାରରେ ଓଡ଼ିଆ ଅସ୍ମିତା ବନ୍ଧା ପଡିଥିଲା ବୋଲି ମନେପକାଇ ଦେଇଛି ବିଜେପି । ଆଉ କହିଛି ଜୟନାରାୟଣଙ୍କ କଥା ସଭାପତି ବୁଝିବେ ।

Advertisment

ଶାସକ ଦଳକୁ ନାକେଦମ କଲେ ବିରୋଧୀ । ହୋହଲ୍ଲା ଓ ନାରାବାଜିରେ ୩ ଥର ଗୃହ ମୁଲତବି । କଂଗ୍ରେସ କହିଲା ରାଜ୍ୟରେ ଚାଲିଛି 'ରାବଣ ଶାସନ' । ବିଜେଡି ମାରିଲା ଜୟନାରାୟଣ ବାଣ । ପୁରୁଣା ପ୍ରସଙ୍ଗରେ ବିରୋଧୀଙ୍କୁ କାଉଣ୍ଟର କଲା ବିଜେପି । ଗୃହକାର୍ଯ୍ୟ ଆଜି କିଛି ଏମିତି ଢଙ୍ଗରେ ଆରମ୍ଭ ହୋଇଥିଲା । ମହିଳା ନିର୍ୟାତନା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରସଙ୍ଗ କରି ଗୃହରେ ହଟ୍ଟଗୋଳ କରିଥିଲା କଂଗ୍ରେସ । ହାତରେ ପୋଷ୍ଟର ଓ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ରାବଣ ଶାସନ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ଚିରାଚରିତ ଢଙ୍ଗରେ ବାଚସ୍ପତିଙ୍କ ମାଇକ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ତାରା । ଅନ୍ୟପଟେ ଶାସକଦଳକୁ ଘେରିବା ପାଇଁ ପ୍ରସଙ୍ଗ ବଦଳାଇଛି ବିଜେଡି । ମିଶନ ଶକ୍ତି ବଦଳରେ ଜୟନାରାୟଣଙ୍କ ବୟାନ ଓ ଓଡ଼ିଆ ଅସ୍ମିତାକୁ ଅସ୍ତ୍ର କରି ଶାସକ ବିଜେପିକୁ ଅସ୍ତବ୍ୟସ୍ତ କରିଛନ୍ତି ବିଜେଡି ସଦସ୍ୟ । ନାରାବାଜି ଓ ହଟ୍ଟଗୋଳ ଭିତରେ ଧୋଇଯାଇଛି ପ୍ରଶ୍ନକାଳ ଓ ଶୂନ୍ୟକାଳ ।

ହଟ୍ଟଗୋଳ ଓ ନାରାବାଜି ଭିତରେ ଗୃହକାର୍ଯ୍ୟକୁ ୩ ଥର ମୁଲତବୀ କରିଛନ୍ତି ବାଚସ୍ପତି । ଗୃହର ଅଚଳାବସ୍ଥା ପାଇଁ ବିରୋଧୀ ଦଳକୁ ଦାୟୀ କରିଛି ଶାସକ ଦଳ । ପୂର୍ବ ସରକାର ଓଡ଼ିଆ ଅସ୍ମିତାକୁ ବନ୍ଧା ପକାଇଥିଲେ । ଯାହାର ଜବାବ ଓଡ଼ିଶାବାସୀ ନିର୍ବାଚନରେ ଦେଲେ । ଅନ୍ୟପଟେ ଜୟନାରାୟଣଙ୍କ ବୟାନରୁ ନିଜକୁ ଦୂରେଇ ରଖିବା ସହ ସଭାପତି ବୁଝିବେ ବୋଲି କହି ଖସିଯିବାକୁ ଚେଷ୍ଟା କରିଛି ବିଜେପି ।

ବାରମ୍ବାର ମୁଲତବୀ ଭିତରେ ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକକୁ ଭରସା କରିଛନ୍ତି ବାଚସ୍ପତି । କିନ୍ତୁ ପ୍ରଶ୍ନ ଉଠୁଛି, ଗୃହର ସୁପରିଚାଳନା ପାଇଁ ବିରୋଧୀଙ୍କ ଦାବିକୁ ମାନିବ ତ ଶାସକ ଦଳ ?