କନକବ୍ୟୁରୋ : ଦୁଇ ଦିନ ପରେ ଆଜିଠୁ ପୁଣି ଚାଲିବ ବିଧାନସଭା । ବଜେଟ୍ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟର ଆଜି ଦ୍ବିତୀୟ ଦିନ । ଆଜି ବି ଗୃହରେ ପ୍ରବଳ ହଙ୍ଗାମା ହୋଇପାରେ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ କୋଶଳ ଓ କଳିଙ୍ଗ ବୟାନକୁ ନେଇ ବିରୋଧୀ ହଟ୍ଟଗୋଳ କରିପାରନ୍ତି । ଗତ ଶୁକ୍ରବାର ପ୍ରଥମ ଦିନରେ ବିରୋଧୀଙ୍କ ହଙ୍ଗାମା ଭିତରେ ସ୍ବାଭାବିକ ଚାଲିପାରି ନଥିଲା ଗୃହକାର୍ଯ୍ୟ ।
ବିଜୁ ବାବୁଙ୍କୁ ଅସମ୍ମାନ ଘଟଣାକୁ ବିଜେଡି ପ୍ରସଙ୍ଗ କରିଥିବାବେଳେ, କଂଗ୍ରେସ ନାରୀ ନିର୍ଯାତନା ଓ ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗ କରି ନାରାବାଜୀ କରିଥିଲା । ଏନେଇ ଦୁଇ ଦଳର ବିଧାୟକ ବିଧାନସଭା ପରିସରରେ ପ୍ରତିବାଦ ମଧ୍ୟ କରିଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ବିଜେଡି ବିଧାୟକ ଓ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଅନସନ କରିଥିଲେ । ଆଜି ପୁଣିଥରେ ମଧ୍ୟ ବିଧାନସଭା ସରଗରମ୍ ହୋଇପାରେ ।