କନକ ବ୍ୟୁରୋ: ଚାଲିପାରିଲାନି ଗୃହ । ସକାଳୁ ନେଇ ଅପରାହ୍ନ ଯାଏଁ ଦେଖିବାକୁ ମିଳିଲା ହୋହାଲ୍ଲା ଓ ହଟ୍ଟଗୋଳର ଦୃଶ୍ୟ । ଯାହା ଫଳରେ ସୋମବାର ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି । ତେବେ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭରୁ ଦୁଇଟି ପ୍ରସଙ୍ଗରେ ସରକାରକୁ ଘେରିଥିଲେ ବିରୋଧୀ । ଗୋଟିଏ ପଟେ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ଘଟଣାକୁ ପ୍ରସଙ୍ଗ କରିଥିଲା ବିଜେଡି । ସେପଟେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଓ ଆଇନଶୃଙ୍ଖଳା ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା କଂଗ୍ରେସ । ଉଭୟ ଦଳ ପ୍ଲାକାର୍ଡ ଧରି ଗୃହରେ ହୋହଲ୍ଲା କରିବା ସହ ବିଧାନସଭା ବାହାରେ ମଧ୍ୟ ପ୍ରତିବାଦ କରିଥିଲେ । ଯେଉଁଥିପାଇଁ ଆଜି ଅଚଳ ରହିଥିଲା ଗୃହକାର୍ଯ୍ୟ । ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଆରମ୍ଭ ହେବାରୁ ବାଧ୍ୟ ହୋଇ ଗୃହକୁ ସୋମାବାର ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

Advertisment

ତେବେ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ଗୃହକୁ ବାଚସ୍ପତି ଆସିବା ପୂର୍ବରୁ ଆରମ୍ଭ ହୋଇଗଲା ହଟ୍ଟଗୋଳ । କଂଗ୍ରେସ ମହିଳା ନିର୍ଯ୍ୟାତନାକୁ ପ୍ରସଙ୍ଗ କରିଥିବା ବେଳେ ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ ପ୍ରସଙ୍ଗ କରିଥିଲା । ସକାଳ ୧୦ଟା ସମୟରେ କଂଗ୍ରେସର ବିଧାୟକମାନେ ମହିଳା ଅତ୍ୟାଚାରକୁ ପ୍ରସଙ୍ଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ତା'ପରେ ୧୦ ଟା ୨୮ ରେ କଂଗ୍ରେସ ବିଧାୟକମାନେ ନାରୀ ନିର୍ଯ୍ୟାତନା ଲେଖାଥିବା ବ୍ୟାନର ବେକରେ ପକାଇ ଗୃହ ମଧ୍ୟକୁ ନାରାବାଜି ଦେଇ ପ୍ରବେଶ କରିଥିଲେ ।

କଂଗ୍ରେସର ନାରାବାଜି ଦେଖି ବିଜେଡି ବିଧାୟକମାନେ ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ଲେଖାଥିବା ପ୍ଲା-କାର୍ଡ ଧରି ଆରମ୍ଭ କରିଥିଲେ ହଟ୍ଟଗୋଳ । ୧୦ଟା୨୮ରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା । ୧୦ଟା ୩୦ରେ ବାଚସ୍ପତି ଆସିଥିଲେ । ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ। ହଟ୍ଟଗୋଳ ଭିତରେ ମାତ୍ର ୬ ମିନିଟ୍‌ ଚାଲିପାରିଥିଲା ଗୃହ। ବିଧାନସଭାରେ ପ୍ରବଳ ହୋହଲ୍ଲା ପାଇଁ ଅପରାହ୍ନ ୪ଟା ଯାଏଁ ବାଚସ୍ପତି ମୁଲତବୀ କରିଥିଲେ ଗୃହକୁ । ଏହାପରେ ବିଜେଡି ବିଧାୟକମାନେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିବା ବେଳେ କଂଗ୍ରେସ ବିଧାୟକ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ହେଲେ ୪ଟା ପରେ ବି, ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଯାହା ପରେ ଗୃହକୁ ସୋମବାର ପର୍ୟ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।