କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଭୟାବହ ସ୍ଥିତି । ଭୟଙ୍କର ଶବ୍ଦରେ ଥରୁଛି ମଧ୍ୟପ୍ରାଚ୍ୟ । ଲୋକେ ମରୁଛନ୍ତି, ବଡ଼ ବଡ଼ ଅଟାଳିକା ଧ୍ବଂସ ହେଉଛି । ନୀରିହ ଜନତାଙ୍କ ଯାଉଛି ଜୀବନ । ତଥାପି ଚୁପ୍ ରହୁନାହାନ୍ତି ଇସ୍ରାଏଲ-ଇରାନ । ଘନଘନ ଆକ୍ରମଣ ଉଭୟପଟୁ ଜାରି ରହିଛି । ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ଆହୁରି ଯୁଦ୍ଧ ଭୟାବହ ହୋଇଉଠିଛି । ଏହି ଯୁଦ୍ଧ ଡରାଇଲାଣି ଶୀର୍ଷ ନେତାଙ୍କୁ । କାରଣ ଯୁଦ୍ଧ ମଧ୍ୟରେ ଇରାନ୍ର ସର୍ବଚ୍ଚୋ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇ ନିଜର ଉତ୍ତରାଧିକାରୀ ବାଛିଛନ୍ତି । ତିନି ଜଣ ବରିଷ୍ଠ ଧର୍ମଗୁରୁଙ୍କ ନିଜର ଉତ୍ତରାଧିକାରୀ ଭାବେ ବାଛିଛନ୍ତି । ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧରେ ଯଦି ଖାମେନେଇଙ୍କ ହତ୍ୟା ହୋଇଯାଏ ତେବେ ଏହି ପରିସ୍ଥିତରେ ସେହି ତିନି ଜଣଙ୍କ ମଧ୍ୟରୁ ଜଣେ କିଏ ତାଙ୍କ ଗାଦି ସମ୍ଭାଳିବେ । ତେବେ ଏହି ତିନି ଜଣଙ୍କର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଗୋପନ ରଖାଯାଇଛି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଏହି ଉତ୍ତରାଧିକାରୀ ଦୌଡରେ ଖାମନେଇଙ୍କ ପୁଅଙ୍କ ନାମ ନାହିଁ ।
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଭୟାବହ ରୂପ ଧାରଣ କରିଛି । ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷାବାହିନୀ ଲଗାତାର ଆଇଆରଜିସିର ବରିଷ୍ଠ ସାମରିକ ଅଧିକାରୀ ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରୁଛି । ୮୬ ବର୍ଷୀୟ ଖାମେନେଇ ଯୁଦ୍ଧର ଭୟାବହତାକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି। କେତେବେଳେ ବି ତାଙ୍କୁ ହତ୍ୟା କରାଯାଇପାରେ ଏହି ଆଶଙ୍କାରେ ସେ ତାଙ୍କ ଉତ୍ତରାଧିକାରୀ ବାଛିଛନ୍ତି । ସୂଚନାମୁତାବକ ଇରାନର ସର୍ବଚ୍ଚୋ ନେତା ଖାମନେଇ ଏକ ସୁରକ୍ଷିତ ସ୍ଥାନରେ ଅଛନ୍ତି । ସେଠାରେ ରହି କାମ କରୁଛନ୍ତି । ଏବଂ ବିଶ୍ବସନୀୟ ସହଯୋଗୀଙ୍କ ମାଧ୍ୟମରେ ଖବର ଦେବା ଆଣିବା କରୁଛନ୍ତି । ସେ କେବଳ ତାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିନାହାଁନ୍ତି, ବରଂ ବରିଷ୍ଠ କମାଣ୍ଡରମାନଙ୍କ ମୃତ୍ୟୁ ହେଲେ ପ୍ରମୁଖ ସାମରିକ ପଦବୀ ପାଇଁ ବ୍ୟାକଅପ୍ ପ୍ଲାନ ମଧ୍ୟ ଯୋଗାଇଛନ୍ତି ।
ତିନି ଜଣ ଧର୍ମଗୁରୁଙ୍କ ମଧ୍ୟରେ ଖାମନେଇଙ୍କ ପୁଅର ନାମ ସାମିଲ ନାହିଁ
ରିପୋର୍ଟରେ କୁହାଯାଇଛି ଯେ ଆୟାତୋଲ୍ଲା ଖାମନେଇଙ୍କ ପୁଅ ମୋଜତବା, ଯିଏକି ନିଜେ ଜଣେ ଧର୍ମଗୁରୁ ଏବଂ ଜଣେ ଇସଲାମିକ ବିଦ୍ୱାନ । ହେଲେ ଖାମନେଇ ତାଙ୍କୁ ଉତ୍ତରାଧିକାରୀ ଭାବେ ବାଛିନାହାଁନ୍ତି । ସୂଚନାମୁତାବକ, ଏହି ପଦ ପାଇଁ ଖାମନେଇଙ୍କ ପୁଅ ଖୁବ୍ ଆଗ୍ରହୀ ଥିଲେ ଆଉ ଆଗରେ ମଧ୍ୟ ଥିଲେ । ଏପଟେ ଇସ୍ରାଏଲ ପକ୍ଷରୁ ଇରାନ ମିଲିଟାରୀ ବେସକୁ ଟାର୍ଗେଟ କରି ଆଜି ଆକ୍ରମଣ କରିଛି । ଇରାନର କ୍ଷେପଣାସ୍ତ୍ର ଲଂଚ ପ୍ୟାଡକୁ ମିସାଇଲ ମାଡ଼ କରିଛି । ୧୯୭୯ ପରେ ଇସଲାମିକ ଦେଶ ଉପରେ ସବୁଠ ବଡ଼ ଆକ୍ରମଣ କରିଛି ଇସ୍ରାଏଲ ।