କନକ ବ୍ୟୁରୋ: ବିବାଦୀୟ ବୟାନ ଦେଇ ଜେଲ ଗଲେ ବିଧାୟକ । ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ବା ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମଙ୍କୁ ଆସାମ ପୋଲିସ ଗିରଫ କରିଛି । ଜମ୍ମୁ ଓ କାଶ୍ମୀରର ପାହାଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଅମିନୁଲଙ୍କ ଅପମାନଜନକ ଏବଂ ହିଂସାକୁ ଉସକାଇବା ଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ଅଭିଯୋଗରେ ମାମଲା ରୁଜୁ ହୋଇଛି । ଏପ୍ରିଲ ୨୨ରେ ହୋଇଥିବା ପାହାଲଗାମ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଅମିନୁଲ ଏକ ଜନସଭାରେ ପାହାଲଗାମ ଆକ୍ରମଣକୁ ‘ରାଜନୈତିକ ନାଟକ’ ବୋଲି ଅଭିହିତ କରି ପାକିସ୍ତାନକୁ ସମର୍ଥନ କରିଥିବା ଅଭିଯୋଗ ହୋଇଛି। ବିଧାୟକ ଭାରତ ସରକାରଙ୍କୁ ଆକ୍ରମଣ ପାଇଁ ଦାୟୀ କରି ହିନ୍ଦୁ-ମୁସଲମାନ ବିଭାଜନ ସୃଷ୍ଟି କରିବାର ଉଦ୍ଦେଶ୍ୟ ଥିବା ମନ୍ତବ୍ୟ ଦେଇଥିଲେ । ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଥିଲେ । ନାଗାଓଁ ଜିଲ୍ଲାରୁ ଗିରଫ ହୋଇଥିବା ଅମିନୁଲଙ୍କୁ କୋର୍ଟରେ ହାଜର କରାଯାଇଛି । ଏଆଇୟୁଡିଏଫ ସଭାପତି ବଦ୍ରୁଦ୍ଦିନ ଅଜମଲ ଏହାକୁ ଅମିନୁଲଙ୍କ ବ୍ୟକ୍ତିଗତ ମତ ବୋଲି କହିଛନ୍ତି । ଏହି ଘଟଣା ଆସାମରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି ।