କନକ ବ୍ୟୁରୋ: ଜୀବନ ବଞ୍ଚାଇଦେଲା ଦାଢ଼ି । ଅଳ୍ପକେ ବର୍ତ୍ତିଗଲା ଜୀବନ । ଜମ୍ମକଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହି ସମୟରେ ଘଟିଥିବା ଏକ ଘଟଣା, ଏବେ ସାମ୍ନାକୁ ଆସିଛି । ଦାଢ଼ି ଥିବା କାରଣରୁ ଅଳ୍ପକେ ବଞ୍ଚିଯାଇଛି ଏକ ଅମୂଲ୍ୟ ଜୀବନ ।

Advertisment

ମିଳିଥିବା ସୂଚନା ମୁତାବକ, ଦେବାଶିଷ ଭଟ୍ଟାଚାର୍ଯ୍ୟ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ କଶ୍ମୀର ବୁଲିବାକୁ ଯାଇଥିଲେ । ଆଉ ଏହି ସମୟରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ତେବେ ଦେବାଶିଷଙ୍କ କହିବା ମୁତାବକ, ଏହି ସମୟରେ ସେ ଗଛ ତଳେ ଲୁଚି ରହିଥିଲେ । ଆଉ କିଛି ଲୋକଙ୍କୁ କଲମା ପଢୁଥିବା ଦେଖିବାକୁ ପାଇଥିଲେ । ଏହାପରେ ନିଜ ଜୀବନ ବଞ୍ଚାଇବାକୁ ସେ କଲମା ପଢିବା ଆରମ୍ଭ କରିଥିଲେ । ଆଉ ଆତଙ୍କବାଦୀ ତାଙ୍କୁ ଯେତେବେଳେ ପଚାରିଥିଲେ କଣ ପଢୁଛ ବୋଲି, ସେତେବେଳେ ସେ ଆହୁରି ଜୋରରେ କଲମା ପଢିଥିଲେ । ଯେଉଁ କାରଣରୁ ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ ।

ସେହିପରି ଦେବାଶିଷଙ୍କ ପତ୍ନୀ ମଧୁମିତା ଦାସ ଭଟ୍ଟାଚାର୍ଯ୍ୟଙ୍କ ଭାଇ ନବେନ୍ଦୁ ଦାସଙ୍କ କହିବା ମୁତାବକ, ତାଙ୍କର ଦାଢ଼ି ଥିବା କାରଣରୁ ଆତଙ୍କବାଦୀମାନେ ତାଙ୍କୁ ଚିହ୍ନିପାରିନଥିଲେ । ଆଉ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ସୂଚନାଯୋଗ୍ୟ ଯେ, ପହଲଗାମରେ ଆତଙ୍କୀ ଆକ୍ରମଣରେ ୨୮ ଜଣ ସାଧାରଣ ଲୋକ ଜୀବନ ହାରିଛନ୍ତି । ଏବେ ବି କିଛି ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆକ୍ରମଣ କେମିତି ଘଟିଲା, ଏହା ପଛର କାରଣ କଣ ସେନେଇ ଏବେ ବି ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ, ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଉଚ୍ଚସ୍ତରୀୟ ମିଟିଂ ଜାରି ରହିଛି ।