କନକ ବ୍ୟୁରୋ: ଦିଲ୍ଲୀର ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜ୍ରେ ଚାଲିଥିବା ଏସୀୟ ସୁଟି ପ୍ରତିଯୋଗିତାର ୨୫ ମିଟର ପିସ୍ତଲ୍ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ପଦକ ବିଜୟିନୀ ମନୁ ଭାକର । ତୀବ୍ର ପ୍ରତିଯୋଗିତାମୂଳକ ଫାଇନାଲରେ ମନୁ ଡବଲ୍-ସୁଟ ଅଫରେ ଭିଏତନାମର ଗ୍ବୁଏନ ଥଏ ଟ୍ରାଙ୍ଗ୍ଙ୍କଠାରୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ୧୦ ମିଟର ପିସ୍ତଲ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଭାରତର ଇଶା ସିଂ କାଂସ୍ୟ ପଦକ ଜିତିଥିଲେ । ଫାଇନାଲରେ ଉଭୟ ମନୁ ଓ ଟ୍ରାଙ୍ଗ୍ ୩୫ ପଏଣ୍ଟ ଲେଖାଏଁ ହାସଲ କରି ବରାବର ରହିଥିଲେ । ପ୍ରଥମ ସୁଟ୍-ଅଫ ମଧ୍ୟ ୨-୨ରେ ବରାବର ରହିଥିଲା । ଦ୍ବିତୀୟ ସୁଟ୍-ଅଫରେ ୫ଟି ଲକ୍ଷ୍ୟରୁ ଟ୍ରାଙ୍ଗ୍ ୩ଟି ଓ ମନୁ ୨ଟି ଭେଦ କରିପାରିଥିଲେ । ମନୁଙ୍କ ପାଇଁ ଚଳିତ ପ୍ରତିଯୋଗିତା ଏପର୍ଯ୍ୟନ୍ତ ନୈରାଶ୍ୟଜନକ ରହିଆସିଥିଲା । ଏପରିକି ତାଙ୍କର ପରିଚିତ ୧୦ ମିଟର ପିସ୍ତଲ ବର୍ଗରେ ସେ ୭ମ ସ୍ଥାନରେ ରହିଥିଲେ । ଏଣୁ ମଙ୍ଗଳବାରର ବିଜୟ ତାଙ୍କ ପାଇଁ ଆଶ୍ବସ୍ତି ଆଣିଦେଇଛି । ଏହି ବିଜୟକୁ ନେଇ ସେ ସନ୍ତୁଷ୍ଟ ବୋଲି କହିଛନ୍ତି । ଅନ୍ୟପକ୍ଷରେ ୫୦ ମିଟର ରାଇଫଲ୍ ଇଭେଣ୍ଟରେ ଭାରତର ଆକ୍ରିତି ଦହିୟା ରୌପ୍ୟ ପଦକ ଜିତିଥିବାବେଳେ ଅଞ୍ଜୁମ୍ ମୋଡଗିଲ୍ କାଂସ୍ୟ ପଦକ ଜିତିଛନ୍ତି । କାଜାଖସ୍ତାନର ସୋଫିଆ ସୁଲଜେନକୋ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
ଏହା ବି ପଢ଼ନ୍ତୁ :
Follow Us