କନକ ବ୍ୟୁରୋ: ୟୁଏଇରେ ଚଳିତ ମାସ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଘୋଷଣା ହୋଇଥିବା ୧୫ଜଣିଆ ଭାରତୀୟ ଦଳର ଖେଳାଳିମାନେ ‌ଗୁରୁବାର ଦୁବାଇରେ ଏକାଠି ହେବେ । ଏକାଠି ଯିବା ପରିବର୍ତ୍ତେ ନିଜ ନିଜ ସହରରୁ ପର୍ଯ୍ୟାୟକ୍ରମେ ସେଠାରେ ପହଞ୍ଚିବେ । ଗୁରୁବାର ସଂଧ୍ୟାସୁଦ୍ଧା ଖେଳାଳିମାନେ ପହଞ୍ଚିବା ପରେ ଶୁକ୍ରବାରଠାରୁ ଦୁବାଇସ୍ଥିତ ଆଇସିସି ଏକାଡେମିରେ ଅଭ୍ୟାସ ଆରମ୍ଭ କରିବେ । ୫ଦିନର ଅଭ୍ୟାସ ପରେ ପ୍ରଥମ ମ୍ୟାଚ୍‌ରେ ୧୦ ତାରିଖ ଦିନ ୟୁଏଇକୁ ଭେଟିବେ । 
ଭାରତୀୟ ଦଳ ତା’ର ଦ୍ୱିତୀୟ ତଥା ପରବର୍ତ୍ତୀ ମ୍ୟାଚ୍ ସେପ୍ଟେମ୍ବର ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌କୁ ନେଇ ଏବେ ବି ସଂଶୟ ଜାରି ରହିଥିଲା ବେଳେ ଭାରତ ସରକାର ଏହାକୁ ବିରୋଧ କରିବେ ନାହିଁ ବୋଲି ସଙ୍କେତ ମିଳିଛି । ଯାହା ବିସିସିଆଇ ପାଇଁ ଆଶ୍ବସ୍ତିକର ଖବର ହୋଇଛି । ସୁପର-୪ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆ ୧୯ ତାରିଖରେ ନିଜ ତୃତୀୟ ତଥା ଶେଷ ଲିଗ୍ ମ୍ୟାଚ୍‌ରେ ଓମାନକୁ ଭେଟିବ ।

Advertisment

ଏସିଆ କପ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ଯଥାକ୍ରମେ ଉତ୍ତରାଞ୍ଚଳ ଓ ପୂର୍ବାଞ୍ଚଳ ପାଇଁ ଦଲୀପ ଟ୍ରଫି କ୍ୱାର୍ଟରଫାଇନାଲ୍ ଖେଳିଥିଲେ । ସ୍ପିନର କୁଲଦୀପ ଯାଦବ ମଧ୍ୟ କେନ୍ଦ୍ରାଞ୍ଚଳର ପ୍ରତିନିଧିତ୍ୱ କରିଛନ୍ତି । ଯେହେତୁ କ୍ୱାର୍ଟରଫାଇନାଲ୍‌ ‌ଶେଷ ହୋଇଯାଇଛି ତେଣୁ ସେମାନଙ୍କର ଦୁବାଇ ପହଞ୍ଚିବା ସୂଚୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି । ସେହିଭଳି ସଂରକ୍ଷିତ ଖେଳାଳି ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ୱାସିଂଟନ୍ ସୁନ୍ଦର ଭାରତୀୟ ଦଳ ସହ ଦୁବାଇ ଗସ୍ତ କରିବେ ନାହିଁ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।