କନକ ବ୍ୟୁରୋ : ରତ୍ନଭଣ୍ଡାର ଯାଞ୍ଚ କରିବ ଏଏସଆଇ(ASI) । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବେ । ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ ଅନୁଷ୍ଠିତ ହେବ । ଏ.ଏସ୍.ଆଇର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ନିରୀକ୍ଷଣ ହେବ ।

ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇସାରିଛି କ୍ଷ ତାପରେ ଏ.ଏସ୍.ଆଇକୁ ସଂରକ୍ଷଣ ତଥା ମରାମତି କାର୍ୟ୍ୟ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ ।

ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା କ୍ଷ ଏହା ଦ୍ୱାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼ିବ, ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇକୁ ଅନୁରୋଧ କରାଯାଇଥିଲା କ୍ଷ ପୂର୍ଣାଙ୍ଗ ଅତ୍ୟାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ୟ୍ୟ ଅବିଳମ୍ବେ ସାରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।