କନକ ବ୍ୟୁରୋ: ଚଳିତ ଆଇପିଏଲ୍ ସିଜିନ୍ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟର ସୂତ୍ରଧାର ଥିଲେ ଅଶ୍ୱନୀ କୁମାର । ଡେବ୍ୟୁ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସର ୪ଟି ୱିକେଟ୍ ଦଖଲ କରିଥିଲେ । ଯାହାଫଳରେ ବଡ଼ ସ୍କୋର୍ କରିବାରେ ବିଫଲ ହୋଇଥିଲା କେକେଆର୍ । ଏଭଳି କାର୍ନାମା କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅଶ୍ୱନୀ । ଡେବ୍ୟୁ ଆଇପିଏଲ୍ ମ୍ୟାଚ୍ରେ ୪ଟି ୱିକେଟ ଦଖଲ କରିଥିବା ସେ ପ୍ରଥମ ବୋଲର ପାଲଟି ଯାଇଛନ୍ତି । ମୁମ୍ବାଇ-କେକେଆର ମ୍ୟାଚ୍ ପରେ ଟ୍ରେଣ୍ଡିଂରେ ରହିଛନ୍ତି ଅଶ୍ୱନୀ କୁମାର । ତେବେ କିଏ ଏହି ଅଶ୍ୱନୀ କୁମାର ? କେମିତି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହେଲେ ?
ପଞ୍ଜାବର ୨୩ ବର୍ଷୀୟ ଅଶ୍ୱନୀ ଜଣେ ବାମହାତୀ ପେସର । ମୋହାଲିର ଝାଞ୍ଜେରିର ବାସିନ୍ଦା ଅଶ୍ୱିନୀ ଡେବ୍ୟୁ ମ୍ୟାଚ୍ର ପ୍ରଥମ ବଲ୍ରେ ହିଁ ୱିକେଟ୍ ନେଇ ରେକର୍ଡ କରିଛନ୍ତି । ୨୦୨୨ରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ପଞ୍ଜାବ ପକ୍ଷରୁ ଡେବ୍ୟୁ କରିଥିଲେ । କିନ୍ତୁ କେବଳ ୪ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ । ଅଶ୍ୱନୀଙ୍କ କାହାଣୀରେ ପରିବର୍ତ୍ତନ ଆସେ ୨୦୨୪ ମସିହାରେ, ଯେତେବେଳେ ସେ ଶେର୍-ଏ-ପଞ୍ଜାବ ଟି-ଟ୍ୱେଣ୍ଟି ଟ୍ରଫିରେ ମୁମ୍ବାଇ ଇଣ୍ଡିଆନ୍ସର ସ୍କାଉଟ୍ସ୍ଙ୍କୁ ପ୍ରଭାବିତ କରିଥିଲେ । ଡେଥ୍ ଓଭର୍ରେ ୱିକେଟ୍ ଦଖଲ କରି ଅନେକ ମ୍ୟାଚ୍ ବିଜୟୀ କରାଇଥିଲେ । ଏହାଛଡ଼ା ପଞ୍ଚାବ ପାଇଁ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଓ ୪ଟି ଲିଷ୍ଟ୍ ଏ ମ୍ୟାଚ୍ ଖେଳିଥିଲେ । ଗତ ସିଜିନ୍ରେ ସେ ପଞ୍ଜାବ କିଙ୍ଗ୍ସ୍ ଦଳରେ ସାମିଲ ହୋଇଥିଲେ । ହେଲେ ଥରୁଟିଏ ବି ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାକୁ ସୁଯୋଗ ମିଳିନଥିଲା ।
ଏହାପରେ ମେଗା ନିଲାମୀରେ ଅଶ୍ୱନୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୩୦ ଲକ୍ଷ ଟଙ୍କାରେ ସାମିଲ୍ କରିଥିଲା । ଡେବ୍ୟୁ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରି ଦଳକୁ ସିଜିନ୍ର ପ୍ରଥମ ବିଜୟ ଉପହାର ଦେଇଛନ୍ତି । ଡେବ୍ୟୁ କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ଅଶ୍ୱନୀ । ଦିନବେଳା ଲଞ୍ଚ୍ କରିପାରିନଥିଲେ, କେବଳ ଗୋଟିଏ କଦଳୀ ଖାଇ ରହିଥିଲେ । ସନ୍ଧ୍ୟାରେ କେକେଆର ବିପକ୍ଷରେ ନିଜର କମାଲ ଦେଖାଇଥିଲେ । ଅଶ୍ୱନୀ କୁମାର ହେଉଛନ୍ତି ପଞ୍ଜାବର ଅଧିବାସୀ । ବାପା ଚାଷକାମ କରି ଘର ଚଳାନ୍ତି । ମ୍ୟାଚ୍ ଦେଖିବା ବେଳେ ତାଙ୍କ ଆଖିକୁ ଲୁହ ଆସି ଯାଇଥିବା କଥା କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଟିମ୍ ଇଣ୍ଡିଆ ମଧ୍ୟ ଜଣେ ବାମହାତୀ ଫାଷ୍ଟ ବୋଲର ସନ୍ଧାନରେ ରହିଛି । ଏଭଳି ସ୍ଥିତିରେ ଅଶ୍ୱନୀଙ୍କ ଉପରେ ନଜର ରଖିପାରେ ବିସିସିଆଇ ।