କନକ ବ୍ୟୁରୋ : ରାଜ୍ୟରେ ଚିହ୍ନଟ ହେଉଥିବା ମ୍ୟାଲେରିଆ ରୋଗୀଙ୍କ ୩୦% ରାୟଗଡ଼ା ଜିଲ୍ଲାର । ରାୟଗଡା ଜିଲ୍ଲା ଏକ ଦୁର୍ଗମ ଅଞ୍ଚଳ । ଏଠାରେ ବିଶେଷ କରି ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି । ମଶାଙ୍କ ପ୍ରାଦୁର୍ଭାବ ଅଧିକ ଦେଖାଯାଏ । ମ୍ୟାଲେରିଆ ବଢୁଥିବାରୁ ମୁକାବିଲା ପାଇଁ ୪ ବର୍ଷ ପରେ ପୁଣି ଆରମ୍ଭ ହୋଇଛି ମଶାରୀ ବଣ୍ଟନ । ଆଶା ଏଇ ମଶାରୀ ରୋଗ ନରାକରଣରେ ସହାୟକ ହେବ । ଘରେ ଘରେ ପହଞ୍ଚି ଲୋକଙ୍କୁ ମଶାରୀ ଦେବା ସହ ସଚେତନ କରୁଛନ୍ତି ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ।

Advertisment

ରାୟଗଡାରେ ୨୦୨୦ରେ ଦମନ କାର୍ଯ୍ୟକ୍ରମ ଜରିଆରେ ମଶାରୀ ବଣ୍ଟନ କରାଯାଇଥିଲା । ଅଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ମଶାରୀର ସଠିକ ବ୍ୟବହାର ନକରିବାରୁ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ୨୦୨୦ରେ ୫ହଜାର ୩୯୨ ଲୋକ ମ୍ୟାଲେରିଆ ଆକ୍ରାନ୍ତ ହୋଇଥିଲେ । ୨୦୨୧ରେ ୨,୭୯୦, ୨୦୨୨ରେ ୪,୯୯୮, ୨୦୨୩ରେ ୯, ୯୨୫ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨୦୨୪ରେ ସର୍ବାଧିକ ୧୨ ହଜାର ୭୨୧ଜଣ ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ସ୍ଥିତିର ଗମ୍ଭୀରତାକୁ ଦେଖି ୪ ବର୍ଷ ଧରି ବନ୍ଦ ପଡିଥିବା ମଶାରି ବଣ୍ଟନ କାର୍ଯ୍ୟକ୍ରମକୁ ପୁଣି ଥିରେ ଆରମ୍ଭ କରିଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । 

ଗତ ନଭେମ୍ବର ୨ରୁ ଏବେ ସୁଦ୍ଧା ପ୍ରାୟ ୮୦%ରୁ ଅଧିକ ମଶାରୀ ବଣ୍ଟନ ସରିଛି । ଶୀଘ୍ରସବୁ ଲୋକଙ୍କ ଘରେ ପହଞ୍ଚିବ । ଏହାର ବହୁଳ ବ୍ୟବହାର ନିମନ୍ତେ ଗାଁଗାଁରେ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରାଯାଉଛି । ଏବେ ମ୍ୟାଲେରିଆରେ ବ୍ରେକ ଲାଗିବ ବୋଲି ଆଶା ରଖିଛି ସ୍ୱାସ୍ଥ୍ୟ ବିଭାଗ ।