କନକ ବ୍ୟୁରୋ : ରାଜସ୍ଥାନର ଯୋଧପୁର ହାଇକୋର୍ଟ ଆସାରାମଙ୍କୁ ଅନ୍ତରୀଣ ଜାମିନ ବଢ଼ାଇବା ମାମଲାରେ ଦେଇଛନ୍ତି ବଡ଼ ଝଟକା । କୋର୍ଟ ସ୍ପଷ୍ଟ ରାୟ ଦେଇଛନ୍ତି ଯେ ଆସାରାମଙ୍କୁ ପୁଣି ଜେଲ ଯିବାକୁ ପଡ଼ିବ , ତାଙ୍କର ଅନ୍ତରୀଣ ଜାମିନ ଅବଧି ବଢ଼ାଇବା ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଅହମ୍ମଦାବାଦର ସିଭିଲ ହସ୍ପିଟାଲ ରିପୋର୍ଟ ଆଧାରରେ କୋର୍ଟ ଏହି ରାୟ ଦେଇଛନ୍ତି । ବର୍ତ୍ତମାନ ଆସାରାମଙ୍କୁ ଅଗଷ୍ଟ ୩୦ ରେ ସେଣ୍ଟ୍ରାଲ ଜେଲରେ ଆତ୍ମସମର୍ପଣ କରିବାକୁ ପଡ଼ିବ। ତେବେ, ଆବଶ୍ୟକ ପଡ଼ିଲେ ଆସାରାମ ପୁନର୍ବାର ଆବେଦନ କରିପାରିବେ । ଏହି ନିର୍ଦ୍ଦେଶ ଜଷ୍ଟିସ୍ ଦିନେଶ ମେହେତା ଏବଂ ଜଷ୍ଟିସ୍ ବିନୀତ କୁମାର ମାଥୁରଙ୍କ ଡବଲ ବେଞ୍ଚ ଦ୍ୱାରା ଆସିଛି ।

କୋର୍ଟରୁ ମିଳିଥିଲା ଜାମିନ ଅବଧି ବଢ଼ାଇବାକୁ ଅନୁମତି

Advertisment

ହାଇକୋର୍ଟର ଯୋଧପୁର ପୀଠ ଜେଲରେ ଥିବା ସ୍ୱୟଂଭୁ ସନ୍ଥ ଆସାରାମଙ୍କ ଅନ୍ତରୀଣ ଜାମିନ ଗତକାଲି ଅଗଷ୍ଟ ୨୯ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । ଆସାରାମ ନିଜ ଗୁରୁକୁଳର ନାବାଳିକା ଶିଷ୍ୟାଙ୍କୁ ବଳାତ୍କାର ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଆସାରାମଙ୍କ ଜାମିନ ଅବଧି ଅଗଷ୍ଟ ୧୨ ରେ ଶେଷ ହେବାକୁ ଥିଲା । ଜଷ୍ଟିସ୍‌ ଦିନେଶ ମେହେତା ଏବଂ ଜଷ୍ଟିସ୍‌ ବିନୀତ କୁମାର ମାଥୁରଙ୍କ ଖଣ୍ଡପୀଠ ଆସାରାମଙ୍କ ମେଡିକାଲ ରିପୋର୍ଟ ଦେଖିବା ପରେ ଜାମିନ ଅବଧି ବଢ଼ାଇବାକୁ ଅନୁମତି ଦେଇଥିଲେ । ନିକଟରେ ଗୁଜରାଟ ହାଇକୋର୍ଟ ସମାନ ଏକ ମାମଲାରେ ଆସାରାମଙ୍କ ଅନ୍ତରୀଣ ଜାମିନ ଅବଧି ଅଗଷ୍ଟ ୨୧ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ । ସେତେବେଳେ ଇନ୍ଦୋରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆସାରାମଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଥିଲା ।

ପୂର୍ବରୁ ଶୁଣାଣିରେ କୋର୍ଟ କ'ଣ କହିଥିଲେ ?

ଆସାରାମଙ୍କ ମେଡିକାଲ ରିପୋର୍ଟ ଅନୁଧ୍ୟାନ କରି ହାଇକୋର୍ଟ ତାଙ୍କ ସ୍ୱାସ୍ଥ୍ୟର ବିସ୍ତୃତ ଯାଞ୍ଚ ପାଇଁ ଅହମ୍ମଦାବାଦର ଏକ ସରକାରୀ ହସ୍ପିଟାଲର ଚିକିତ୍ସକଙ୍କୁ ନେଇ ଗୋଟିଏ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରେ କୋର୍ଟ କହିଥିଲେ ଯେ ଏହି କମିଟିରେ ଜଣେ ହୃଦରୋଗ ବିଶେଷଜ୍ଞ ଏବଂ ଜଣେ ସ୍ନାୟୁରୋଗ ବିଶେଷଜ୍ଞ ସାମିଲ ହେବା ଉଚିତ୍ । କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଜାମିନ ଅବଧି ଶେଷ ହେବାର ଦୁଇ ଦିନ ପୂର୍ବରୁ ଅଗଷ୍ଟ ୨୭ ସୁଦ୍ଧା ରିପୋର୍ଟ କୋର୍ଟରେ ଦାଖଲ କରାଯାଉ ।