କନକ ବ୍ୟୁରୋ: ବାଂଲାଦେଶରେ ରିମୋଟ, ଭାରତରେ ଅପରେସନ ଲାଗିଥିଲା ସ୍ମାର୍ଟ ସୁଇଚ୍ ଜରିଆରେ ହେଉଥିଲା କଂଟ୍ରୋଲ । ବାଂଲାଦେଶୀ ସନ୍ଦିଗ୍ଧ ଆତଙ୍କି ସିମ ବକ୍ସ ହ୍ୟାଣ୍ଡଲର ଅସାଦୁର ଜମାନର ଫୋଟୋ କମିଶନରେଟ ପୋଲିସ ହାତରେ ଲାଗିଛି । ସିମ ବକ୍ସ ମାମଲାରେ କିଛି ଦିନର ତଦନ୍ତ ପରେ କମିଶନରେଟ ପୋଲିସ ଆଜି ଜାରି କରିଛି ଆସାଦୁର ଜମାନର ଫଟୋ ।
କେବଳ ଫଟୋ ନୁହେଁ, ଆସାଦୁର ବାଂଲାଦେଶ ଢାକାର ଏକ ସଫ୍ଟଓୟାର କମ୍ପାନିର ମାଲିକ ବୋଲି ମଧ୍ୟ ଜଣା ପଡିଛି । ସିମ ବକ୍ସ ନିକଟରେ ଲାଗିଥିବା ଏହି ସ୍ମାର୍ଟ ସୁଇଚକୁ ଦେଖା ଯାଇପାରେ । ସଫ୍ଟଓୟାର ଓ ଟେକ୍ନୋଲୋଜି ବିଷୟରେ ଜ୍ଞାନ ଥିବାରୁ ଆସାଦୁର ବ୍ୟବହାର କରୁଥିଲା ସ୍ମାର୍ଟ ସୁଇଚ ଟେକ୍ନୋଲୋଜି । ସ୍ମାର୍ଟ ସୁଇଚ୍ ମାଧ୍ୟମରେ ବାଂଲାଦେଶ ଢାକାରେ ରହି ଭାରତର ବିଭିନ୍ନ ରାଜ୍ୟରେ ଥିବା ସିମ୍ ବକ୍ସ ଗୁଡିକୁ ଅପରେଟ କରୁଥିଲା । ଯେଉଁଥି ପାଇଁ ତାକୁ ସବୁବେଳେ ଭାରତ ଆସିବାକୁ ପଡୁନଥିଲା ।
ସରିଲା ରାଜୁ ମଣ୍ଡଳର ରିମାଣ୍ଡ ଅବଧି ପୁଣି ରିମାଣ୍ଡରେ ଆଣିବ ସ୍ପେଶାଲ ସ୍କ୍ବାଡ୍ ଗୁରବାର ଦିନ ରାଜୁ ମଣ୍ଡଳର ପାଞ୍ଚ ଦିନିଆ ରିମାଣ୍ଡ ଅବଧି ସରିଛି । ଏହି ପାଞ୍ଚ ଦିନ ଭିତରେ ରାଜୁ ମଣ୍ଡଳ ଠାରୁ ଅନେକ ଗୁରୁତ୍ୱପୁର୍ଣ ତଥ୍ୟ ପାଇଛି ସ୍ପେଶାଲ ସ୍କ୍ବାର୍ଡ । ତେବେ ତାକୁ ପୁଣିଥରେ ସାତ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିଛି କମିଶନରେଟ ପୋଲିସ ।
ରିମାଣ୍ଡରେ ଆସିବା ପରେ ତାକୁ ପୋଲିସ ସହ ପୁଣିଥରେ ଜାତୀୟ ତଦନ୍ତକାରି ସଂସ୍ଥା ଏନ.ଆଇ.ଏ ଜେରା କରିବ । ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣ ପାଇଯିବା ପରେ ଇଣ୍ଚରପୋଲ୍ ସହାୟତାରେ ସିମ ବକ୍ସ ମାଷ୍ଟର ମାଇଣ୍ଡ ଆଶାଦୁର ଜମାନକୁ ଗିରଫ କରିବାକୁ ଉଦ୍ୟମ ଆରମ୍ଭ କରିବ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍ ।
ତେବେ ଗୁରୁତ୍ବପୁର୍ଣ କଥା ହେଉଛି ଭୁବନେଶ୍ୱର,କଟକ ଓ ରାଞ୍ଚିରୁ ୧୭ଟି ଆକ୍ଟିଭ ସିମ୍ ବକ୍ସ, ହଜାରେରୁ ଅଧିକ ସିମ କାର୍ଡ ଓ ଅନ୍ୟାନ୍ୟ ଗୁରୁତ୍ୱପୁର୍ଣ ଡିଭାଇସ ଜବତ ହୋଇଛି । କିନ୍ତୁ ନିର୍ଦିଷ୍ଟ ଭାବରେ କଣ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।