କନକ ବ୍ୟୁରୋ: ବିକ୍ରି ହୋଇଯିବ ଗୁଗୁଲ କ୍ରୋମ୍ । ଏପରି ଆଲୋଚନା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଆଉ ପରପ୍ଲେକ୍ସିଟିର ପ୍ରତିଷ୍ଠାତା ଅରବିନ୍ଦ ଶ୍ରୀନିବାସ ଏହି ଚର୍ଚ୍ଚାର କେନ୍ଦ୍ରରେ ରହିଛନ୍ତି । ଏକ ବଡ଼ ଧରଣର ପଦକ୍ଷେପରେ, ଭାରତୀୟ ବଂଶୋଦ୍ଭବ ସିଇଓ ଅରବିନ୍ଦ ଶ୍ରୀନିବାସଙ୍କ ନେତୃତ୍ୱାଧୀନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ 'ପରପ୍ଲେକ୍ସିଟି ଏଆଇ' (Perplexity AI) ଗୁଗୁଲ କ୍ରୋମକୁ କିଣିବା ପାଇଁ ୩୪.୫ ବିଲିୟନ ଡଲାରର ଏକ ବଡ଼ ଅଫର ଦେଇଛି । ଏହି ରାଶି ଭାରତୀୟ ମୁଦ୍ରାରେ ପ୍ରାୟ ୩.୦୨ ଲକ୍ଷ କୋଟି ଟଙ୍କା ହେବ । 

Advertisment

'ପରପ୍ଲେକ୍ଷିଟି ଏଆଇ'ର ଏହି ପ୍ରସ୍ତାବ ଏପରି ଏକ ସମୟରେ ଆସିଛି, ଯେତେବେଳେ ଗୁଗୁଲ ଆମେରିକାରେ ଆଇନଗତ ସମସ୍ୟାର ସମ୍ମୁଖୀନ ହେଉଛି । ଏକ ଆମେରିକୀୟ ଅଦାଲତ ଅନଲାଇନ ସର୍ଚ୍ଚରେ ଗୁଗୁଲର ଏକଚାଟିଆ ଅଧିକାରକୁ ବେଆଇନ ଘୋଷଣା କରିଛନ୍ତି । ନ୍ୟାୟ ବିଭାଗ ଏହାର ସମାଧାନ ପାଇଁ ଗୁଗୁଲକୁ କ୍ରୋମ ବ୍ରାଉଜର ବିକ୍ରି କରିବାକୁ ବାଧ୍ୟ କରିପାରେ ବୋଲି ଆଶା କରାଯାଉଛି । 

ତେବେ ଗୁଗୁଲ ଏହି ପ୍ରସ୍ତାବ ଉପରେ କୌଣସି ଆଗ୍ରହ ଦେଖାଇନାହିଁ ଏବଂ ଅଦାଲତଙ୍କ ରାୟ ବିରୋଧରେ ଅପିଲ କରିବାକୁ ଯୋଜନା କରୁଛି । 'ପରପ୍ଲେକ୍ସିଟି ଏଆଇ' କହିଛି ଯେ ଯଦି ସେମାନେ କ୍ରୋମକୁ ଅଧିଗ୍ରହଣ କରନ୍ତି, ତେବେ ସେମାନେ ଏହାର ମୂଳ କୋଡକୁ ଡେଭେଲପରମାନଙ୍କ ପାଇଁ ଖୋଲା ରଖିବେ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ବ୍ରାଉଜରରେ ୩ ବିଲିୟନ ଡଲାର ନିବେଶ କରିବେ । 

ଅରବିନ୍ଦ ଶ୍ରୀନିବାସ କିଏ?
ଅରବିନ୍ଦ ଶ୍ରୀନିବାସ ହେଉଛନ୍ତି 'ପରପ୍ଲେକ୍ସିଟି ଏଆଇ'ର ସହ-ପ୍ରତିଷ୍ଠାତା ଏବଂ ସିଇଓ । ସେ ଆଇଆଇଟି ମାଡ୍ରାସରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡୁଆଲ ଡିଗ୍ରୀ ହାସଲ କରିଛନ୍ତି ଏବଂ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଛନ୍ତି । 'ପରପ୍ଲେକ୍ସିଟି ଏଆଇ' ପ୍ରତିଷ୍ଠା କରିବା ପୂର୍ବରୁ ସେ ଗୁଗୁଲ ଏବଂ ଓପନଏଆଇ ଭଳି ପ୍ରମୁଖ ଟେକ୍ କମ୍ପାନୀରେ କାର୍ଯ୍ୟ କରିଥିଲେ । ତାଙ୍କ କମ୍ପାନୀକୁ ଏନଭିଡିଆ (Nvidia) ଏବଂ ସଫ୍ଟବ୍ୟାଙ୍କ (SoftBank) ଭଳି ବଡ଼ ନିବେଶକମାନଙ୍କ ସମର୍ଥନ ରହିଛି । 

କେବଳ 'ପରପ୍ଲେକ୍ସିଟି ଏଆଇ' ନୁହେଁ, ଓପନଏଆଇ (OpenAI), ୟାହୁ (Yahoo) ଏବଂ ଆପୋଲୋ ଗ୍ଲୋବାଲ ମ୍ୟାନେଜମେଣ୍ଟ ଭଳି ଅନ୍ୟ କମ୍ପାନୀମାନେ ମଧ୍ୟ କ୍ରୋମ କିଣିବାରେ ଆଗ୍ରହ ଦେଖାଇଛନ୍ତି । ବିଶେଷଜ୍ଞଙ୍କ ମତରେ, ଯଦି କ୍ରୋମକୁ ବିକ୍ରି କରାଯାଏ, ତେବେ ଏହାର ମୂଲ୍ୟ ୫୦ ବିଲିୟନ ଡଲାରରୁ ଅଧିକ ହୋଇପାରେ ।

ପରପ୍ଲେକ୍ସିଟିର ବଜାର ମୂଲ୍ୟ ବର୍ତ୍ତମାନ ୧୭ ବିଲିୟନ ଡଲାର, କିନ୍ତୁ କମ୍ପାନୀ କ୍ରୋମ୍ କିଣିବା ବିଷୟରେ କହୁଛି । ରିପୋର୍ଟ ଅନୁଯାୟୀ, ପରପ୍ଲେକ୍ସିଟି ଗୁଗୁଲ୍ କ୍ରୋମ୍ କିଣିବା ପାଇଁ ୩୪ ବିଲିୟନ ଡଲାର ପ୍ରସ୍ତାବ ଦେଇଛି । ଏବେ ପ୍ରଶ୍ନ ହେଉଛି ଏହି କମ୍ପାନି ଏତେ ଟଙ୍କା କିପରି ଆଣିବ?