କନକ ବ୍ୟୁରୋ : ମାସେ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏବେଠୁ ସରଗରମ ହେଲା ରାଜଧାନୀ ରାଜନୀତି । ଲଗାତାର ତୃତୀୟ ଥର କ୍ଷମତାକୁ ଫେରିବାକୁ ଆପ୍‌ ରଣନୀତି ପ୍ରସ୍ତୁତି କରୁଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବି କ୍ଷମତା ଦଖଲ ଲକ୍ଷରେ ଅଛନ୍ତି । ହେଲେ ବହୁଚର୍ଚ୍ଚିତ ଦିଲ୍ଲୀ ମଦ ଦୁର୍ନୀତି ସହିତ ଅନେକ ମାମଲାରେ ସାଙ୍ଘାତିକ ଫଶିଛନ୍ତି କେଜ୍ରିୱାଲ । ଏତିକି ବେଳେ ବିଜେପି ଦିଲ୍ଲୀର ଦରୱାଜରେ ପ୍ରବେଶ କରିବାକୁ ଜୋରଦାର ଉଦ୍ୟମ କରୁଛି । ସେପଟେ, କଂଗ୍ରେସ ବି ଅନେକ ଲୋକାଭିମୁଖୀ ଯୋଜନା କରି ଭୋଟ୍‌ ନେବାକୁ ତୟାରୀ କରିଛି । ରାହୁଲ ଆଶା ରଖିଥିଲେ କି, କଂଗ୍ରେସକୁ ସହଯୋଗର ହାତ ବଢାଇବେ ଏନସିପିର ମୁଖ୍ୟ ଶରଦ ପାୱାର । କିନ୍ତୁ ସେ ନିରାଶ କରିଛନ୍ତି । ଖାଲି ନିରାଶ କରିଛନ୍ତି ତାହା ନୁହେଁ ବରଂ ଶକ୍ତ ଝଟକା ଦେଇଛନ୍ତି । 

କେଜ୍ରିୱାଲଙ୍କୁ ସମର୍ଥନ ଘୋଷଣା କଲେ ଶରଦ
ଜଳକା ହୋଇ ଚାହିଁରହିଲେ ରାହୁଲ

Advertisment

ରାଜନୀତିର ଚାଣକ୍ୟ କହିଲେ ଶରଦ ପାୱାରଙ୍କୁ ବୁଝାଏ । କାରଣ ରାଜନୀତିର ପଶାପାଲିରେ ସେ ଗୋଟି ଚଳାଇବାରେ ମାହିର । ସେଇଥି ଲାଗି ତ ଦିଲ୍ଲୀରେ ସପୋର୍ଟ ମିଳିବା ନେଇ ଆଶା ରଖିଥିଲେ ରାହୁଲ । ହେଲେ ସେମିତି କିଛି ହେଲାନି । ଯାହାକୁ ନେଇ କଂଗ୍ରେସର ଚିନ୍ତା ବଢିଛି । କାରଣ ସଜସଜ ହୋଇଥିବା ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ବି ଦଳ ବ୍ୟାକଫୁଟ୍‌ରେ ଅଛି । ଶରଦ କହିଛନ୍ତି, ବର୍ତ୍ତମାନ ସମୟରେ କେଜ୍ରିୱାଲଙ୍କୁ ଆମେ ସାହାଯ୍ୟ କରିବା ଦରକାର । ପୂର୍ବରୁ ବି କେଜ୍ରିୱାଲଙ୍କୁ ସମର୍ଥନ ଘୋଷଣା କରିସାରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ।

ଇଣ୍ଡି ମେଣ୍ଟକୁ ନେଇ କଣ କହିଲେ ପାୱାର

ମୋଦିଙ୍କ ବିରୋଧରେ ଦେଶରେ ଗଠନ ହୋଇଥିଲା ଇଣ୍ଡି ମେଣ୍ଟ । ମେଣ୍ଟର ଲକ୍ଷ ଥିଲା ଏକାଠି ହୋଇ ନିର୍ବାଚନ ଲଢିବେ ଏବଂ ମୋଦିଙ୍କୁ କ୍ଷମତାରୁ ଦୂରେଇ ରଖିବେ । ହେଲେ ସେମିତି କିଛି ହେଲା ନାହିଁ । ପୁଣି ଥରେ ତୃତୀୟ ଥର ଲାଗି ମୋଦି ପ୍ରଧାନମନ୍ତ୍ରୀ ହେଲେ । ଏପଟେ ପାୱାର କହିଛନ୍ତି, ଲୋକସଭା ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟରେ ଆଲୋଚନା ହୋଇଥିଲା । ହେଲେ ରାଜ୍ୟର ବିଧାନସଭା କି ନଗର ପରିଷଦ ନିର୍ବାଚନକୁ ନେଇ କୌଣସି ଆଲୋଚନା ହୋଇନାହିଁ । ସେପଟେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଆପ ଉଭୟ ଅଲଗା ଅଲଗା ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ନେଇଛନ୍ତି । ହେଲେ ଟିଏମସି, ସମାଜବାଦୀ ପାର୍ଟି, ଶିବସେବା କେଜ୍ରିୱାଲଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି ।

ବଡ଼ ବୟାନ ରଖିଲେ କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ ନିର୍ବାଚନର ରାଜନୀତି ହୁତୁହୁତୁ ହୋଇ ଜଳୁଥିବା ବେଳେ ଏଥିରେ ଘିଅ ଢାଳିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱେଲ । କହିଛନ୍ତି, ଇଣ୍ଡି ମେଣ୍ଟରେ ଥିବା ରାଜନୈତିକ ଦଳର କାହା ଉପରେ କାହାର ବିଶ୍ବାସ ନାହିଁ । ଏଥର ନିର୍ବାଚନରେ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି, ଦିଲ୍ଲୀରେ ବି କେଜ୍ରିୱାଲଙ୍କୁ ପ୍ରତ୍ୟାଖ୍ୟାନ କରିବେ । ଖାଲି ଏତିକି ନୁହେଁ ବରଂ ଆଗାମୀ ଦିନରେ ବିଜେପି ହିଁ ଦିଲ୍ଲୀରେ ସରକାର କରିବ ବୋଲି ସେ ଦୃଢୋକ୍ତି ବାଢିଛନ୍ତି ।

ମୋଟ୍‌ ଉପରେ ରୋଚକ ହେଉଛି ଦିଲ୍ଲୀ ରାଜନୀତି । କେତେବେଳେ କିଏ କାହାକୁ ପ୍ରଶଂସା କରୁଛି ତ ଆଉ କେତେବେଳେ କିଏ କାହାକୁ ସମାଲୋଚନା ବି କରୁଛି । ଖାଲି ଏତିକି ନୁହେଁ ଦିଲ୍ଲୀରେ ସରକାର ଗଢିବାକୁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଦିଲ୍ଲୀରେ ଆସନ୍ତା ୭ ତାରିଖରେ ୭୦ ବିଧାନସଭା ଆସନରେ ଭୋଟ୍‌ ପଡ଼ିବାକୁ ଥିବା ବେଳେ ଫେବ୍ରୁଆରୀ ୮ ତାରଖରେ ରେଜଲ୍ଟ ବାହାରିବ ।