କନକ ବ୍ୟୁରୋ : ପୁଣି ଶାସକ ଦଳକୁ ନିଶାନା କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି କି, କିଛି ଦିନରୁ ଦେଖୁଛୁ ଯେ ବିଧାନସଭାରେ ବିରୋଧୀଙ୍କ ଭିଜୁଆଲ ବାରଣ କରାଯାଇଛି । କିଛି ଦିନ ତଳେ ଗଣମାଧ୍ୟମର ମୋବାଇଲ ବାରଣ କରାଯାଇଥିଲା । କ’ଣ ଏମିତି ଗୁପ୍ତ କାମ ଚାଲିଛି ଯେ ଭିଡିଓ ସିଧାପ୍ରସାରଣ ହେଉନି, ଆମ ଅଞ୍ଚଳ ଲୋକ ଜାଣି ପାରୁ ନାହାନ୍ତି ଆମ କାର୍ଯ୍ୟକ୍ରମ । କେବଳ ସରକାରୀ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ଭିଜୁଆଲ ୧୦:୩୦ରୁ ୧୧:୩୦ ଦେଖାଯାଉଛି । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, କିଛି ମନ୍ତ୍ରୀ ତାଗିଦ କରିଥିବା ଶୁଣିବାକୁ ମିଳିଛି ଏହା ଅଗଣତାନ୍ତ୍ରିକ, ଏକଛତ୍ରବାଦ । ଯାହା ଗଣତନ୍ତ୍ରକୁ ହତ୍ୟା କରିବ, ମିଡ଼ିଆର କଣ୍ଠରୋଧ ହେଲେ ଏମିତି ହିଁ ପ୍ରତିବାଦ କରିବୁ । ଆନ୍ଦୋଳନ ଭିଜୁଆଲ ବି ନଡରିକି ଦେଖାଇବାକୁ ଅନୁମତି ଦିଅ । ବିରୋଧୀ କି ସରକାରୀ ଦଳ ଠିକ ଭାବେ ଦାୟିତ୍ୱ ନିର୍ବାହ କରୁଛି ନା ନାହିଁ, ତାକୁ ୨୪ ଘଣ୍ଟା ଦେଖାଯାଉ ବୋଲି ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି ।
ସେପଟେ ଅରୁଣଙ୍କୁ ପାଲଟା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ସରୋଜ କହିଛନ୍ତି, ଲୋକ ଏମାନଙ୍କୁ କଣ ପାଇଁ ନିର୍ବାଚିତ କରିଛନ୍ତି? ମନ୍ତ୍ରୀଙ୍କ ଉତ୍ତର କରାଇ ଦେଲେନି । କଳା ଡ୍ରେସରେ କିଛି ଅସୁବିଧା ନାହିଁ କିନ୍ତୁ ଢୋଲ ବଜାଇବା ଠିକ ନୁହେଁ । ମିଡ଼ିଆ ସ୍ୱାଧୀନତା କଥାକୁ କେହି ମନା କରୁ ନାହାନ୍ତି ହେଲେ ବିଜେଡି ଶାସନ ସମୟରେ ଅରୁଣ ସାହୁ କୁଆଡେ ଥିଲେ? ମିଡ଼ିଆକୁ କିଏ ଉତ୍ତର ଦେଉଥିଲା ? ସରକାର ଜାଣିଛନ୍ତି ମିଡ଼ିଆ ସହ କଣ କରିବେ । କାରଣ ମିଡ଼ିଆ ଆମ ବନ୍ଧୁ, ନବୀନ ପଟ୍ଟନାୟକ ମିଡ଼ିଆର ବନ୍ଧୁ ନଥିଲେ । ନବୀନ କେବେ ମିଡ଼ିଆକୁ ସାମ୍ନା କରି ନାହାନ୍ତି । ଆମ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଣମାଧ୍ୟମକୁ ସବୁ ଉତ୍ତର ଦେଉଛନ୍ତି । ଏମାନଙ୍କ ଅଧିକାର ନାହିଁ ମିଡ଼ିଆ କଥା କହିବାକୁ । ଆଜି ଯାହା ହେଲା ଏଥିପାଇଁ ସମସ୍ତେ ମର୍ମାହତ , ବିଧାନସଭାର ଗାରିମା ନଷ୍ଟ ହେଉଛି, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି ଆସ୍କା ବିଧାୟକ ।