କନକ ବ୍ୟୁରୋ: ୱାକଫ ବିଲକୁ ନେଇ ବିଜେଡିରେ କୁହୁଳୁଛି ଅସନ୍ତୋଷ । ଆଉ ଆଜି ବିଜେଡି ବିଧାୟକ ଅରୁଣ ସାହୁ ନିଆଁରେ ଘିଅ ଢାଳିଛନ୍ତି । ଦଳର ଆଭିମୁଖ୍ୟ, ନୀତି ନିଷ୍ପତ୍ତି ଓ ଦଳ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ସେପଟେ ମୁହଁ ଖୋଲିଛନ୍ତି ସମ୍ବିତ ରାଉତରାୟ । ଆଉ ବଡ ବୟାନ ଦେଇ ବିଜେଡି ରାଜନୀତିକୁ ରୋଚକ କରିଛନ୍ତି । ବିଜେଡିରେ କନ୍ଦଳ ଭିତରେ ବିସ୍ଫୋରଣ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।
ଏବେ ବି ୱାକଫ ବିଲ ନେଇ ବିଜେଡିରେ ଲାଗି ରହିଛି ହଟଚମଟ । ଜଣେ ପରେ ଜଣେ ନେତା ମୁହଁଖୋଲି ଦଳରେ କିଛି ଠିକଠାକ୍ ଚାଲିନଥିବା ସଙ୍କେତ ଦେଉଛନ୍ତି। ଶୁକ୍ରବାର ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ପରେ ଆଜି ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ମାରିଛନ୍ତି ତୀର । ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । କହିଛନ୍ତି, ବର୍ତ୍ତମାନ ଦଳରେ ସଂସ୍କାର ଆବଶ୍ୟକ । ବିଜେପି ବିରୋଧରେ ରଣହୁଙ୍କାର ଦେବା ଦରକାର । ନବୀନ ହେଉଛନ୍ତି ଆମର ସର୍ବମାନ୍ୟ ନେତା । ହେଲେ ଦୁଇଟି ଶବ୍ଦରେ ଅରୁଣ ସାହୁ ବିଜେଡିର ଆଭିମୁଖ୍ୟ, ନୀତି ନିଷ୍ପତ୍ତି ଓ ଦଳ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ।
ବିଜେଡିର ଜୁନିଅର ନେତା ୱାକଫ ବିଲକୁ ନେଇ ଦଳର ସୁପ୍ରିମୋକୁ ଭେଟିବାକୁ ପ୍ରଥମେ ମେଳି କଲେ । ଆଉ ତା ପରେ ନବୀନଙ୍କୁ ଭେଟିବାକୁ ସମୟ ମାଗିଥିଲେ । ହେଲେ ନବୀନ ଭେଟିବାକୁ ସମୟ ଦେଲେନି । ଏପରିକି ନେତାଙ୍କୁ ଗଣମାଧ୍ୟମରେ ମୁହଁ ନ ଖୋଲିବାକୁ ଫତୁଆ ଜାରି କରଗଲା । କିନ୍ତୁ ଆଜି ମୁହଁ ଖୋଲିଛନ୍ତି ସମ୍ବିତ ରାଉତରାୟ । ଆଉ ବଡ ବୟାନ ଦେଇ ବିଜେଡି ରାଜନୀତିକୁ ରୋଚକ କରିଛନ୍ତି । କହିଛନ୍ତି, ନବୀନଙ୍କୁ କ୍ଷତି ପହଞ୍ଚାଇଲେ ସ୍ବର ଉତ୍ତୋଳନ ହେବ । ନବୀନ ହେଉଛନ୍ତି ଆମର ନେତା । ୱାକଫ ବିଲକୁ ନେଇ ଅବିଶ୍ବାସର ବାତାବରଣ ସୃଷ୍ଟି ହୋଇଛି, ତାହା ସୁପ୍ରିମୋ ଦୂର କରିବେ ।
ବିଜେଡିରେ କନ୍ଦଳ ଭିତରେ ପୂର୍ବତନ ବିଜେଡି ସାଂସଦ ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ପାଣ୍ଡିଆନଙ୍କ ପାଇଁ ବିଜେଡି ବୁଡ଼ି ଯାଉଛି । ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି । ଆଉ ଏହାର ଜାବବ ରଖିଛନ୍ତି ଦେବୀମିଶ୍ର ।
ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ବଢୁଥିବାବେଳେ ୱାକଫ ବିଲ ପ୍ରସଙ୍ଗ ଗୌଣ ହୋଇଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୀରବ ରହିଛନ୍ତି । ଅନ୍ୟନେତାମାନେ ବି ଧୀରେ ଧୀରେ ଚୁପ୍ ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।