କନକ ବ୍ୟୁରୋ : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ, ବିଜେପିରେ ସାମିଲ ହେବା ପରେ, ୟାକୁ ନେଇ ତେଜିଛି ରାଜନୀତି । ଖାସ୍ କରି, ବିଜେଡି ଏହି କଥାରେ ବିଜେପିକୁ ଜୋରଦାର ଟାର୍ଗେଟ କରୁଥିବାବେଳେ, ନୟାଗଡ଼ ବିଧାୟକ ଅରୁଣ ସାହୁ ବିଜେପିକୁ ମାରିଛନ୍ତି ପ୍ରଶ୍ନବାଣ । ସିଧା ସିଧା ରଘୁବରଙ୍କୁ ବିଜେପି ଏଜେଣ୍ଟ ବୋଲି କହିବା ସହ, ନିର୍ବାଚନ ସମୟରେ ଓଡ଼ିଶାର ରାଜଭବନ ବିଜେପିର ପାର୍ଟି ଅଫିସ୍ ପାଲଟିଥିଲା ବୋଲି କହିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ । ପ୍ରେସମିଟ୍ କରି ଅରୁଣ କହିଛନ୍ତି, ରଘୁବର ଯଦି ଭଲ ରାଜ୍ୟପାଳ ଥିଲେ, ତେବେ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ, କାହିଁକି ତାଙ୍କୁ ବିଜେପି ତଡ଼ିଦେଲା । ରଘୁବର, ବିଜେପିରେ ଜଏନ୍ କରିବା ପରେ, ଟୁଇଟ୍ କରିଥିଲେ ଯେ, ରାଜ୍ୟପାଳ ପଦବୀ ଲାଟସାହେବ ନୁହେଁ ।
ହେଲେ ନିଜ କାର୍ଯ୍ୟାଳୟରେ କେମିତି ତାଙ୍କ ପୁଅ ଜଣେ ଅଧିକାରୀଙ୍କୁ ମାଡ ମାରିଥିଲେ ବୋଲି ପ୍ରଶ୍ନ ପଚାରିଛନ୍ତି ଅରୁଣ ସାହୁ । ତା ସହିତ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନୀତିରେ, ସେତେବେଳେ ରଘୁବରଙ୍କ ପୁଅକୁ ଖସାଇ ଦିଆଗଲା ବୋଲି ଅରୁଣ ପ୍ରଶ୍ନ କରିଥିଲେ । ଓଡ଼ିଶାର ରାଜ୍ୟପାଳ ସେତେବେଳେ, 3 ମାସରେ 30 ଜିଲ୍ଲା ବୁଲିଲେ । ଲୋକଙ୍କ ଅଭିଯୋଗ ବି ଶୁଣିଲେ ।
ହେଲେ ଲୋକଙ୍କୁ ଅନୁଦାନ ଦେବା, ଆଉ ଆର୍ଥିକ ଅନୁଦାନ ନେଇ ନିଷ୍ପତ୍ତି ନେବା ରାଜ୍ୟପାଳ କରିପାରିବେ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଆଉ ସରକାର ହିଁ ନିଷ୍ପତ୍ତି ନେବେ । ତେବେ ରାଜ୍ୟପାଳ ସେତେବେଳେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଯାଇଥିଲେ, ନା ବିଜେପିର ସ୍ଥିତି ପରଖୁଥିଲେ ବୋଲି, ପ୍ରଶ୍ନ କରି, ସିଧା ସିଧା ବିଜେପିକୁ ତୀର ମାରିଛନ୍ତି ବିଜେଡି ବିଧାୟକ ।
ଖାଲି ସେତିକି ନୁହେଁ, ଅରୁଣ ତାଙ୍କ କଥାରେ କହିଥିଲେ ଯେ, ଭଲ ରାଜ୍ୟପାଳ କହିଲେ , ଲୋକ ଗଣେଶୀ ଲାଲଙ୍କୁ ଶହେରୁ ଶହେ ନମ୍ବର ଦେବେ । ଆଉ ରଘବର ଦାସ କିଏ ବୋଲି ପଚାରିଲେ ଶହେରୁ 30 ନମ୍ବର ପାସ୍ ପାର୍କ ପାଇବେ । ରଘୁବର ଯଦି ଭଲ ରାଜ୍ୟପାଳ ଥିଲେ, ତେବେ 5 ବର୍ଷ ପୂର୍ବରୁ କାହିଁକି ତାଙ୍କୁ ବିଦା କରିଦିଆଗଲା ବୋଲି ପ୍ରଶ୍ନ କରିବା ସହ ରଘୁବର ଦାସଙ୍କ ସହ ଏ ବିବାଦକୁ ଆଗକୁ ବଢାଇଛନ୍ତି ଅରୁଣ ।