କନକ ବ୍ୟୁରୋ: ସାଂସ୍କୃତିକ ମହାକୁମ୍ଭ ସାହିଯାତ ପାଇଁ ଚଳଚଞ୍ଚଳ ହୋଇ ଆସୁଛି ଶ୍ରୀକ୍ଷେତ୍ର । ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ନୃତ୍ୟ। ନାଗାମେଢ଼ ସହ ସାମିଲ ହୁଅନ୍ତି  ବିଭିନ୍ନ ସାହି । ଦେଖିବାକୁ ମିଳେ  ସମରକଳା କୌଶଳ ।

Advertisment

ଆସନ୍ତା ଏପ୍ରିଲ ୬ ତାରିଖ ରାମ ନବମୀଠାରୁ ୨୨ ତାରିଖ ପର୍ୟ୍ୟନ୍ତ ଦୁଲୁକିବ ଶ୍ରୀକ୍ଷେତ୍ର ।  ଆରମ୍ଭ ହେବ ପୁରୀର ସାଂସ୍କୃତିକ ମହାକୁମ୍ଭ ସାହିଯାତ । ରାମଜନ୍ମଠାରୁ ରାମାଭିଷେକ ପର୍ୟ୍ୟନ୍ତ ପୌରାଣିକ କଥାବସ୍ତୁକୁ ଆଧାର କରି ପାରମ୍ପରିକ ବାଦ୍ୟନୃତ୍ୟରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।


ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ । ଏହା ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ । ସାହିଯାତରେ ଆଠସାହିରୁ ବାହାରୁଥିବା ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିବ ପୁରୀ ସହର । ଆଠସାହିର ଜାଗା ଆଖଡ଼ାରୁ ରାମାୟଣର ଚରିତ୍ର ରାମ ଲକ୍ଷ୍ମଣ, ସୀତା, ରାବଣ, ପର୍ଶୁରାମ, ହନୁମାନ, ସପ୍ତଶିରା ସହ ନାଗାମେଢ଼ ଆଦି  ସାହି ସାହି ପରିକ୍ରମା କରିବେ । ସାହି ମୁରବି ଏବଂ ବାସିନ୍ଦାମାନେ ଶୋଭାଯାତ୍ରାରେ ଯୋଗଦେଇ କଳାକୌଶଳ ପ୍ରଦର୍ଶନ ସହ ଜଗନ୍ନାଥ ବଲ୍ଲଭ ନିକଟରେ ପାରମ୍ପରିକ ନୀତି ସମ୍ପାଦନ କରନ୍ତି। 

ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକଗୀତ ତଥା ଲୋକବାଦ୍ୟର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ଶ୍ରୀକ୍ଷେତ୍ରରେ ଭାଇଚାରା ସୃଷ୍ଟି କରିଥାଏ ସାହିଯାତ । ଏବେ ଆଠସାହି ଆଖଡ଼ାରେ ଯୁବକମାନେ ପ୍ରଶିକ୍ଷଣ ନେଉଛନ୍ତି। ବୀରବାଦ୍ୟର ତାଳେତାଳେ ନୃତ୍ୟ ପରିବେଷଣର ଅଭ୍ୟାସ କରାଯାଉଛି। ସାହିଯାତ ପାଇଁ ଆବଶ୍ୟକ ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯିବ । ସାହିଯାତକୁ ଶୃଙ୍ଖଳିତ ଭାବରେ ସମ୍ପନ୍ନ  କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର  ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ସାହିଯାତ ପାଇଁ ବିଭିନ୍ନ ସାହିରେ ଏବେଠୁ ଉତ୍ସାହ ଦେଖିବାକୁ ମିଳିଛି। ବୀରବାଦ୍ୟରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ବିଭିନ୍ନ ଆଖଡ଼ା ।