କନକ ବ୍ୟୁରୋ: ଯାତ୍ରା ପେଣ୍ଡାଲରେ ହସି ହସି ଦର୍ଶକଙ୍କୁ ନାକେଦମ କରୁଥିବା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ଼ । ତୁଳସୀ ଗଣନାଟ୍ୟ ମାଲିକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ଆଗାମୀ ଯାତ୍ରା ଋତୁ ପାଇଁ ମାଲିକଙ୍କ ଠାରୁ ଅଗ୍ରୀମ ଟଙ୍କା ଆଣିଥିଲେ ନରି । ତେବେ ବାକି ଟଙ୍କା ନମିଳିବାରୁ ଅଗ୍ରୀମ ଟଙ୍କାକୁ ମାଲିକଙ୍କୁ ଫେରସ୍ତ ପାଇଁ ଯାଇଥିବା ବେଳେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି । ଏଭଳି ସ୍ଥିତିରେ ଆଗାମୀ ବର୍ଷଠାରୁ ସେ ଆଉ ଯାତ୍ରା କରିବେ ନାହିଁ ବୋଲି କହିଛନ୍ତି ନରି ପଣ୍ଡା । 

Advertisment

ଯାତ୍ରା କଳାକାରଙ୍କୁ ମାଡ଼ମରା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ କଳାକାର ଦୈତାରୀ ପଣ୍ଡା । କହିଛନ୍ତି, ଯାତ୍ରା କଳାକାରଙ୍କୁ ଉଚିତ୍ ସମ୍ମାନ ମିଳୁ । ଅନ୍ୟପଟେ,  ନରି ପଣ୍ଡାଙ୍କ ଉପରକୁ ମାଡ଼ ଘଟଣାକୁ ଖଣ୍ଡନ କରିଛନ୍ତି ତୁଳସୀ ଗଣନାଟ୍ୟ ମାଲିକ । କହିଛନ୍ତି ଯେ ସେ ତାଙ୍କୁ ମାଡ଼ ମାରିନାହାନ୍ତି । ଚୁକ୍ତି ଠାରୁ ଅଧିକ ଟଙ୍କା ପାଇଁ ଦାବି କରିଥିଲେ । ମନା କରିବାରୁ ସ୍ତ୍ରୀଙ୍କୁ ମାଧ୍ୟମ କରି ଫୋନ୍ କରିଥିଲେ ନରି । ଏପରିକି ତାଙ୍କ ପାର୍ଟିରେ ନରି ପଣ୍ଡା ଅଭିନୟ କରିବେ ବୋଲି ଦୃଢ଼ତାର ସହ କହିଛନ୍ତି ଅନନ୍ତ ନାରାୟଣ ଧଳ ।

ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ତୁ ତୁ ମେ ମେ କିଛି ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଛି। ତେବେ ଏ ସମସ୍ୟାର ସମାଧାନ କେବେ ହେବ, ତା’ ଉପରେ ରହିଛି ନଜର।