କନକ ବ୍ୟୁରୋ: କାର୍ତ୍ତିକ ପୂର୍ଣ୍ଣିମା ଆସିଲେ ଡଙ୍ଗା କଥା ମନେପଡେ । ପୂର୍ଣ୍ଣିମା ବଡ଼ି ଭୋରରୁ ଡଙ୍ଗା ଭସାଇଥାନ୍ତି ଆବାଳ ବୃଦ୍ଧ ବନିତା । ଆଉ ସେଥିପାଇଁ ଡ଼ଙ୍ଗା ତିଆରି କାମରେ ଲାଗି ପଡ଼ିଛନ୍ତି କଟକ ସାଲେପୁରର ସପନପୁର ଗାଁର ଡ଼ଙ୍ଗା କାରିଗର। ପୁରା ପରିବାର ଡ଼ଙ୍ଗା ତିଆରି କାମରେ ବ୍ୟସ୍ତ । ଏବର୍ଷ ଡ଼ଙ୍ଗା ବିକ୍ରି କରି ଦୁଇ ପଇସା ରୋଜଗାର ଆଶା ରଖିଛି କାରିଗର।
ଓଡ଼ିଆ ପାଳନ୍ତି, ୧୨ମାସରେ ତେର ପର୍ବ। କୁହାଯାଏ, ଧର୍ମର ମାସ କାର୍ତ୍ତିକ। ମାସ ସାରା ନିରାମିଷ ଭୋଜନ କରି କାର୍ତ୍ତିକ ପୁର୍ଣ୍ଣିମା ଦିନ ଡ଼ଙ୍ଗା ଭସାଇଥାନ୍ତି । ବଡି ଭୋଗରୁ ଉଠି ନଈ, ନାଳ, ଜଳାଶୟରେ ଡ଼ଙ୍ଗା ଭସାଇଥାନ୍ତି। ଆଉ ସେହି ଡଙ୍ଗା ବିକି କିଛି ରୋଜଗାର କରିଥାନ୍ତି କିଛି ପରିବାର । ଗ୍ରାହକଙ୍କ ଚାହିଦା ଅନୁସାରେ ବତକ ଡ଼ଙ୍ଗା, ହଂସ ଡ଼ଙ୍ଗା, ତାଜ ମହଲ ଓ ଯୁଦ୍ଧ ଜାହାଜ ଭଳି ଡ଼ଙ୍ଗା ତିଆରି କରିଛନ୍ତି ସାଲେପୁର ସପନପୁର ଗାଁର କାରିଗର।
ପ୍ରତିବର୍ଷ ଭଳି ଏବର୍ଷ ପ୍ରତି ପରିବାର ପ୍ରାୟ ୫ ହଜାର ଡ଼ଙ୍ଗା ତିଆରି କରିଛନ୍ତି । ପୁରା ପରିବାର କାମରେ ଲାଗିଛନ୍ତି । କିଏ ସୋଲରେ ରଙ୍ଗ ଦେଇ ଡ଼ଙ୍ଗା ତିଆରି କରୁଛି ତ ଆଉ କିଏ ରଙ୍ଗ ବେରଙ୍ଗ କାଗଜରେ ଅଠା ଲଗାଇ ଡ଼ଙ୍ଗା ତିଆରି କରିଛନ୍ତି। ସାଲେପୁର ବଜାର ସମେତ କଟକର ଆଖପାଖ ବଜାରକୁ ବିକ୍ରି କରିଥାନ୍ତି। ଏ ବର୍ଷ ବେପାରରେ ଭଲ ହେବ ବୋଲି ଆଶା ରଖିଛନ୍ତି । ଟଙ୍କା ପାଇଁ ନୁହେଁ ବରଂ କଳାକୁ ବଞ୍ଚାଇ ରଖିବା ପାଇଁ ଏହି ଅଞ୍ଚଳର କାରିଗରମାନେ ପ୍ରୟାସ ଜାରି ରଖିଥିବା କହିଛନ୍ତି।