କନକ ବ୍ୟୁରୋ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି । ଯୁଦ୍ଧ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ପରଓ୍ବାନା ଜାରି କରିଛି ଅନ୍ତର୍ଜାତୀୟ ଅପରାଧିକ ଅଦାଲତ । ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି ଏବଂ ଇସ୍‌ମାଇଲ୍‌ ହାନିୟେହଙ୍କ ବିରୋଧରେ ମଧ୍ୟ ଗିରଫ ପରୱାନା ଜାରି ହୋଇଛି । ଅବଶ୍ୟ ଏଥିରୁ କିଛି ବ୍ୟକ୍ତି ବର୍ତ୍ତମାନ ମୃତ୍ୟୁବରଣ କରିସାରିଥିବା ଜଣାପଡିଛି । କିନ୍ତୁ ଆଇନ ଅନୁସାରେ ତଦନ୍ତ କରାଯିବା ନେଇ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ ନିର୍ଦ୍ଦେଶ ଦେଇଛି । 

Advertisment

ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଆକ୍ରମଣର ପରିଣତି ସ୍ବରୂପ ଗାଜା ଯୁଦ୍ଧ ହୋଇଥିଲା। ଆଇସିସି ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍‌ ଏହାକୁ ଯୁଦ୍ଧ ଅପରାଧ ଓ ମାନବଜାତି ବିରୋଧରେ ଅପରାଧ ବୋଲି ଅଭିଯୋଗ କରିଛନ୍ତି। ସିନ୍‌ଓ୍ବାର, ହାନିୟେହ ଏବଂ ଅଲ୍‌ ମସ୍ରିଙ୍କ ବିରୋଧରେ ଧ୍ୱଂସସାଧନ, ହତ୍ୟା, ପଣବନ୍ଦୀ କରିବା, ବଳାତ୍କାର ଓ ଯୌନ ଉତ୍ପୀଡ଼ନ ଆଦି ଅଭିଯୋଗ ଲଗାଯାଇଥିବାବେଳେ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ବିରୋଧରେ ଯୁଦ୍ଧଜନିତ ଧ୍ୱଂସ ସାଧନ, ଲୋକଙ୍କୁ କ୍ଷୁଧିତ ରଖିବା, ରିଲିଫ ସହାୟତାକୁ ଯୁଦ୍ଧପୀଡ଼ିତଙ୍କ ନିକଟରେ ପହଞ୍ଚାଇବାକୁ ନ ଦେବା ଆଦି ଅଭିଯୋଗ ହୋଇଛି। ପ୍ରଥମ ଥର ପାଇଁ ଆମେରିକାର ଘନିଷ୍ଠ ସହଯୋଗୀ ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଗିରଫ ପରଓ୍ବାନା ଜାରି କରିଛି ।