କନକ ବ୍ୟୁରୋ:୭୯ ବର୍ଷର ଜଣେ ଅବସରପ୍ରାପ୍ତ ସେନାଧିକାରୀ
ଫୁଡ୍ ଷ୍ଟଲରେ ବିକୁଛନ୍ତି ଖାଦ୍ୟ, କରୁଛନ୍ତି ଜନସେବା
ଗ୍ରାହକଙ୍କ ହାତକୁ ବଢ଼ାଇ ଦେଉଛନ୍ତି ଗରମାଗରମ୍ ଇଡଲି ସାଙ୍ଗକୁ ସମ୍ବର ପ୍ଲେଟ୍
ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋରର ବୟସ୍କା ମହିଳା । ସକାଳ ହେଲେ ଇନ୍ଦୋର ଖଜରାନା ରୋଡ ଚନ୍ଦ୍ରାଲୋକ କଲୋନି ନିକଟକୁ ଠେଲି ଠେଲି ନିଜ ଠେଲାଗାଡ଼ିକୁ ନେଇଆସନ୍ତି । ଆଉ ଘଣ୍ଟାଏ ଦେଢ଼ ଘଣ୍ଟା ଭିତରେ ଇଡଲି ସମ୍ବର ରେଡି କରିଦିଅନ୍ତି । ଗ୍ରାହକ ବି ଭିଡ଼ ଜମାନ୍ତି ଆମ୍ମାଙ୍କ ଇଡଲି ଥାଳି ପାଇଁ ସେମାନଙ୍କ ହାତକୁ ବଢ଼ାଇଦିଅନ୍ତି ଇଡଲି , ସମ୍ବର ଥାଳି ।
ତାଙ୍କ ଷ୍ଟଲରେ ପହଞ୍ଚିଥିଲେ ଭ୍ଲଗର କଶିଶ୍ ସୋନି। ବୟସ୍କାଙ୍କୁ ଦେଖି ତାଙ୍କର ମନରେ ଅନେକ ପ୍ରଶ୍ନ ଉଙ୍କିମାରିଥିଲା। ଅବଶ୍ୟ ତାଙ୍କ ନାଁ ଉଲ୍ଲେଖ କରିନାହାଁନ୍ତି । ଯେଉଁ ବୟସରେ କେହି ଘରେ ବିଶ୍ରାମ ନେବା କଥା ସେ ବୟସରେ ରାସ୍ତା କଡ଼ରେ ଫୁଡ୍ ଷ୍ଟଲ ଖୋଲିବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆଉ ବୟସ୍କା ଯାହା କହିଲେ ସେଥିରେ ସୋନି ଚକିତ ହୋଇଥିଲେ ।
ଏ ବୟସ୍କା ସାଧାରଣ ନୁହଁନ୍ତି । ଜଣେ ଅବସରପ୍ରାପ୍ତ ସେନାଧିକାରୀ, ଉଚ୍ଚ ଶିକ୍ଷିତା। କିନ୍ତୁ ଖାଦ୍ୟ ରାନ୍ଧିବାରେ ତାଙ୍କର ଭାରି ସଉକ । ତେଣୁ ଅବସର ପରେ ଘରେ ନବସି ଲୋକାଙ୍କୁ ଖାଦ୍ୟ ପରଷିବାକୁ ଚାହିଁଲେ। ଏଥିପାଇଁ ଫୁଡ୍ ଷ୍ଟଲ୍ ଖୋଲି ନିଜ ଇଚ୍ଛାକୁ ପୂରଣ କଲେ । ଖୁବ କମ୍ ପଇସାରେ ଲୋକାଙ୍କୁ ପରଷି ଦିଅନ୍ତି ଇଡଲି ସମ୍ବର ପ୍ଳେଟ୍ । ଆଉ ଯିଏ ଗରିବ ତାଙ୍କୁ ମାଗଣାରେ ଖାଇବାକୁ ଦିଅନ୍ତି, ଯାହା ତାଙ୍କୁ ଅପାର ଖୁସି ଦିଏ ।
ତାଙ୍କ ପୁଅ ଝିଅଙ୍କ କଥା ପଚାରିବାରୁ ସେ କହିଥିଲେ, ସେ ବିବାହ କରିନାହାଁନ୍ତି। ବିବାହ କରିଥିଲେ ହୁଏତ ତାଙ୍କର ଇଚ୍ଛାକୁ ସେ ପୂରଣ କରିପାରିନଥାନ୍ତେ । ଖାଲି ଖାଦ୍ୟ ରାନ୍ଧିବା ନୁହେଁ ଫାଇନ ଆର୍ଟରେ ମଧ୍ୟ ସେ ବେଶ୍ ଧୂରୀଣ । ସେ ଯାହା ବି କରନ୍ତି ତାକୁ ଖୁବ୍ ମନଦେଇ ଧ୍ୟାନର ସହ ଖୁସିରେ କରିବାକୁ ଚାହାନ୍ତି । ତାଙ୍କ ପାଇଁ କାମ ଛୋଟ କି ବଡ଼ ନୁହେଁ ବରଂ ସତ କିମ୍ବା ଅସତ୍ ହୋଇଥାଏ ।ସ୍ବଚ୍ଛ ମନରେ କରାଯାଉଥିବା କର୍ମ ଭଗବାନଙ୍କ ପ୍ରତି ଏକ ସମର୍ପଣ ବୋଲି କହିଥିଲେ ବୟସ୍କା ।
କଶିଶ ତାଙ୍କର ଏହି ଭିଡିଓ ଇନଷ୍ଟାରେ ପୋଷ୍ଟ କରିବା ପରେ ନେଟିଜେନ୍ସ ଧୁମ୍ ପ୍ରଶଂସା କରିଛନ୍ତି । ଏ ବୟସ୍କା ପ୍ରକୃତରେ ଜୀବନ ଜିଇଁବା ଜାଣିଛନ୍ତି । ୟାଙ୍କ ପାଖରେ ଖୁସିର ଖଜାନା ଅଛି ବୋଲି ମତ ଦେଇଛନ୍ତି ।