କନକ ବ୍ୟୁରୋ: ଦିନେ ଯୌତୁକରେ ପାକିସ୍ତାନ ମାଗିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଆଉ ଏବେ ଦକ୍ଷିଣାରେ ପିଓକେ ମାଗିଛନ୍ତି ରାମଭଦ୍ରାଚାର୍ଯ୍ୟ । ଭାରତ ପାକିସ୍ତାନ ଭିତରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବାବେଳେ, ସେନା ମୁଖ୍ୟଙ୍କୁ ଏମିତି କିଛି ଗୁରୁ ଦକ୍ଷିଣା ମାଗିଛନ୍ତି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ । ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟପ୍ରଦେଶର ଚିତ୍ରକୂଟରେ ଥିବା ତୁଳସୀ ଆଶ୍ରମରେ ପହଞ୍ଚିଥିଲେ । ଯେଉଁଠି ସେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିବା ସହିତ ତାଙ୍କଠାରୁ ରାମ ମନ୍ତ୍ର ଦୀକ୍ଷା ଗ୍ରହଣ କରିଥିଲେ । ସେନା ମୁଖ୍ୟ ସେହି ଦୀକ୍ଷା ଗ୍ରହଣ କରିଥିଲେ, ଯେଉଁ ଦୀକ୍ଷାକୁ ନେଇ ହନୁମାନ ଲଙ୍କାରେ ବିଜୟ ହାସଲ କରିଥିଲେ । ଆଉ ଯେତେବେଳେ ଭାରତ-ପାକିସ୍ତାନ ଭିତରେ ସ୍ଥିତି ଗରମ ରହିଛି । ସେହି ସମୟରେ ସେନା ମୁଖ୍ୟ ରାମଭଦ୍ରାଚାର୍ଯ୍ୟଙ୍କୁ ଭେଟିବା, ଆଉ ତାଙ୍କଠାରୁ ରାମ ଦୀକ୍ଷା ନେବା ଚର୍ଚ୍ଚାର ବିଷୟ ପାଲଟିଛି ।

ରାମଭଦ୍ରାଚାର୍ଯ୍ୟଙ୍କଠାରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାମ ଦୀକ୍ଷା ନେବାପରେ, ଦକ୍ଷିଣାରେ ତାଙ୍କୁ ପିଓକେ ମାଗିଥିଲେ ରାମଭଦ୍ରାଚାର୍ଯ୍ୟ । ଆଉ ମିଡିଆକୁ କହିଥିଲେ, ସେନା ମୁଖ୍ୟଙ୍କୁ ରାମ ଦୀକ୍ଷା ଦେବା ପରେ, ସେ ଗୌରବ ଅନୁଭବ କରୁଛନ୍ତି । ହେଲେ ଦକ୍ଷିଣାରେ କିନ୍ତୁ ସେ ପିଓକେ ମାଗିଛନ୍ତି । ପାକିସ୍ତାନ ଯଦି ଆଗାମୀ ଦିନରେ, କିଛି ବି ଆତଙ୍କବାଦୀ କାର୍ଯ୍ୟକଳାପ କରେ, ତେବେ ତାକୁ ପାନେ ଦେବା ପାଇଁ ସେନା ମୁଖ୍ୟଙ୍କୁ ସେ ରାମ ଦୀକ୍ଷା ମନ୍ତ୍ର ଦେଇଛନ୍ତି ବୋଲି ରାମଭଦ୍ରାଚାର୍ଯ୍ୟ କହିଥିଲେ ।  ତେବେ ଏହି ଖବର, ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥାକୁ ମନେ ପକାଇ ଦେଇଛି ।

ଦେଶର ୩ ତିନି ଥର ପ୍ରଧାନମନ୍ତ୍ରୀ ରହିଥିବା ଅଟଳ ବିହାରୀ ବାଜପେୟୀଙ୍କୁ ଥରେ ଜଣେ ପାକିସ୍ତାନୀ ସାମ୍ବାଦିକା ବାହା ହେବା ନେଇ ପ୍ରସ୍ତାବ ଦେଇଥିଲେ । ଆଉ ମୁହଁଦେଖାରେ କାଶ୍ମୀର ମାଗିଥିଲେ । ଯାହାକୁ କାଉଣ୍ଟର କରି ସେତେବେଳେ ବାଜପେୟୀ ତାଙ୍କୁ ଯୌତୁକରେ ପୂରା ପାକିସ୍ତାନ ଦରକାର ବୋଲି କହିଥିଲେ । ଆଉ ଏବେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସେହିଭଳି କଥା କହିବା ସହିତ, ଦକ୍ଷିଣାରେ ସେନା ମୁଖ୍ୟଙ୍କୁ ପିଓକେ ମାଗିଛନ୍ତି ।