କନକ ବ୍ୟୁରୋ: ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦକୁ ସମର୍ଥନ ଜାରି ରଖେ, ତେବେ ଭାରତୀୟ ସେନା ପୂର୍ବରୁ ବିଭିନ୍ନ ଅପରେସନ୍ରେ ଦେଖାଇଥିବା ସଂଯମ ପ୍ରଦର୍ଶନ କରିବ ନାହିଁ ଏବଂ ପାକିସ୍ତାନକୁ ମାନଚିତ୍ରରୁ ଲୋପ କରିଦେବ । ରାଜସ୍ଥାନର ଅନୁପଗଡ଼ରେ ଏକ ସେନା କ୍ୟାମ୍ପରେ ଯବାନଙ୍କୁ ସମ୍ବୋଧିତ କରିବା ଅବସରରେ ସେନାମୁଖ୍ୟ ପାକିସ୍ତାନକୁ ଏହି କଡ଼ା ବାର୍ତ୍ତା ଦେଇଛନ୍ତି ।
ଜେନେରାଲ ଦ୍ୱିବେଦୀ କହିଛନ୍ତି, ‘ଯଦି ପାକିସ୍ତାନ ଭୂଗୋଳରେ ନିଜର ସ୍ଥାନ ରଖିବାକୁ ଚାହେଁ, ତେବେ ଏହାର ସରକାର ଓ ସେନା ଦ୍ୱାରା ଆତଙ୍କବାଦକୁ ସମର୍ଥନ ବନ୍ଦ କରିବାକୁ ପଡ଼ିବ । ପୁଣିଥରେ ଆମେ ଅପରେସନ୍ ସିନ୍ଦୁର ୧.୦ ସମୟରେ ଦେଖାଇଥିବା ସଂଯମ ପ୍ରଦର୍ଶନ କରିବୁ ନାହିଁ । ଏଥର ଆମେ ଏପରି କିଛି କରିବୁ ଯାହା ପାକିସ୍ତାନକୁ ଭାବିବାକୁ ବାଧ୍ୟ କରିବ ଯେ ସେ ଭୂଗୋଳରେ ରହିବାକୁ ଚାହେ କି ନାହିଁ ।’ ସେନାମୁଖ୍ୟ ଯବାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସେମାନେ ପ୍ରସ୍ତୁତ ରହନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଶତ୍ରୁକୁ ମୂଳପୋଛ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରାଯିବ ନାହିଁ ।
ଗତ ଏପ୍ରିଲ ୨୨, ୨୦୨୫ରେ ଜମ୍ମୁ ଓ କାଶ୍ମୀରର ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ’ ୭ରେ ଅପରେସନ୍ ‘ସିନ୍ଦୂର’ ଆରମ୍ଭ କରିଥିଲା । ଏଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିଥିଲା ଏବଂ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା । ଏହି ଅପରେସନ୍ରେ ଭାରତୀୟ ବାୟୁସେନା ପାକିସ୍ତାନର ୪ରୁ ୫ଟି ଯୁଦ୍ଧବିମାନ (ଏଫ୍-୧୬ ଏବଂ ଜେଏଫ୍-୧୭) ଏବଂ ଏକ ଆୱାକସ୍ ବିମାନକୁ ଧ୍ୱଂସ କରିଥିଲା । ପାକିସ୍ତାନୀ କମାଣ୍ଡରମାନେ ଭାରତୀୟ ପକ୍ଷକୁ ଅସ୍ତ୍ରବିରତି ପାଇଁ ତୁହାକୁତୁହା ଅନୁରୋଧ କରିବା ପରେ ମେ ୧୦ରେ ଯୁଦ୍ଧବିରତି ଘୋଷଣା ହୋଇଥିଲା ସେନାମୁଖ୍ୟଙ୍କ ଏହି ବୟାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେତାବନୀ ପରେ ଆସିଛି ।
ଗତକାଲି ପାକିସ୍ତାନକୁ ରାଜନାଥ ଏହାର ଭୂଗୋଳ ସମ୍ପର୍କରେ ଚେତାବନୀ ଦେଇଥିଲେ । ପାକିସ୍ତାନ ଆତଙ୍କବାଦକୁ ଅସ୍ତ୍ର କରି ଭାରତରେ ଅସ୍ଥିରତା ଏବଂ ଭାରତୀୟ ଅଞ୍ଚଳରେ ଅତିକ୍ରମଣ କରିବାକୁ ପ୍ରୟାସ କଲେ ଏହାକୁ ବହୁମୂଲ୍ୟ ଦେବାକୁ ପଡ଼ିବ ଏବଂ ଏହା ଭୂଗୋଳରେ ରହିବ କି ନାହିଁ ସେ ନେଇ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ରାଜନାଥ ଚେତାବନୀ ଦେଇଥିଲେ । ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଆତଙ୍କବାଦର ଗଡ଼ ପାଲଟିଥିବା ବେଳେ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ପରିସ୍ଥିତି ଉପରେ ସମସ୍ତଙ୍କ ନଜର ରହିଛି । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଆଗାମୀ ଦିନରେ ଦକ୍ଷିଣ ଏସିଆର ରାଜନୈତିକ ପରିଦୃଶ୍ୟକୁ ପ୍ରଭାବିତ କରିପାରେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରବର୍ତ୍ତୀ ଘଟଣା ଭାରତର ସୁରକ୍ଷା ନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି, ଯାହା ଆତଙ୍କବାଦକୁ ନିର୍ମୂଳ କରିବା ଉପରେ କେନ୍ଦ୍ରିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/10/04/upendra-dwivedi-2025-10-04-16-51-40.jpeg)