କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅନ୍ତର୍ଗତ ସାଗରା ଗ୍ରାମରେ ବିଳମ୍ବିତ ରାତିରେ ଏକ ସଶସ୍ତ୍ର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ରାତି ପ୍ରାୟ ଦୁଇଟା ସମୟରେ ଗ୍ରାମର ଭୁବନେଶ୍ୱର ନାଏକଙ୍କ ଘରେ ଚାରିଜଣ ମୁଖାପିନ୍ଧା ଡକାୟତ ପଶିଥିଲେ। ଭୁବନେଶ୍ୱର  ଓ ତାଙ୍କ ପତ୍ନୀ  ଘରେ ଉପସ୍ଥିତି ଥିଲେ । ଡକାୟତ ମାନେ ପ୍ରଥମେ ଭୁଜାଲି ମୁନରେ ଭୟଭୀତ କରି ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ବିଛଣାର ଚାଦର ଚିରି ବାନ୍ଧି ଦେବା ସହ ଶୋଇବା କୋଠରୀରେ ବନ୍ଦ କରି ଦେଇଥିଲେ । ପରେ ସେମାନେ ଘରର କୋଠରୀରେ ଥିବା ଆଲମିରା, ପଲଙ୍କ ଓ ବାକ୍ସ ଭାଙ୍ଗି ଛିହ୍ନଭିନ୍ନ କରି ଦେଇଥିଲେ । ଘରେ ଥିବା ପ୍ରାୟ ୧୦ ଭରି ସୁନାଗହଣା ସହ ନଗଦ ୪୦ ହଜାର ଟଙ୍କା ଲୁଟି ନେଇ ଭୋର ଚାରିଟା ସମୟରେ ଫେରାର ହୋଇଯାଇଥିଲେ ।ଉଭୟ ସ୍ଵାମୀ- ସ୍ତ୍ରୀ ବନ୍ଦ କୋଠରୀରେ ଅଣନିଶ୍ବାସି ହେବା ସତ୍ତ୍ୱେ କବାଟ ଭାଙ୍ଗି ବାହାରକୁ ଆସିଥିଲେ । ଖବର ପାଇ ଗୋବିନ୍ଦପୁର ଥାନାଧିକାରୀ ରାଜେନ୍ଦ୍ର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।

Advertisment