କନକ ବ୍ୟୁରୋ: ମୁଣ୍ଡରେ ବନ୍ଧୁକ ରଖି ଲୁଟିନେଲେ ପୂରା ସୁନା ଦୋକାନ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବଜାର ଅଂଚଳରୁ ଆସିଛି ଏଭଳି ଅଘଟଣର ଖବର । ୫ କେଜିରୁ ଅଧିକ ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ କରିଛନ୍ତି ଗହଣା ଦୋକାନ ମାଲିକ । ଗତକାଲି ଜନଗହଳିପୂର୍ଣ୍ଣ ବଜାର ଅଞ୍ଚଳରେ ଥିବା ନାରାୟଣ ଜୁଏଲାରିକୁ ଲୁଟିବା ଉଦ୍ଦେଶ୍ୟରେ ଆସିଥିଲେ ୬ ଦୁର୍ବୃତ୍ତ । ୨ ଜଣ ଦୁର୍ବୃତ୍ତ ବାହାରେ ଜଗିଥିବା ବେଳେ ଅନ୍ୟ ୪ଜଣ ଆସି ବନ୍ଧୁକ ଦେଖାଇ ପୂରା ଦୋକାନକୁ ଲୁଟି ନେଇଥିଲେ । ଲୁଟପାଟ ପରେ ଲୋକଙ୍କୁ ଭୟଭୀତ କରିବା ପାଇଁ ବ୍ଲାଙ୍କ୍‌ ଫାୟାରିଂ ବି କରିଥିଲେ । ଫଳରେ ସେମାନଙ୍କୁ ପିଛା କରିବାକୁ ସାହସ କରିନଥିଲେ ସ୍ଥାନୀୟ ଲୋକ । ଏତେବେଡ଼ ଲୁଟ କରି ସହଜରେ ଖସିଯାଇଥିଲେ ଦୁର୍ବୃତ୍ତ । ଖବର ପାଇ ପୂରା ଅଞ୍ଚଳକୁ ନାକାବନ୍ଦୀ କରିଥିଲା ପୁଲିସ । ପୁଲିସକୁ ଦେଖି ଜଙ୍ଗଲ ଭିତରେ ପଶିଯାଇଥିଲେ ଲୁଟେରା । ଜଙ୍ଗଲ ଭିତରେ ଅନ୍ଧାର ରାତିରେ ଦୁର୍ବୃତ୍ତଙ୍କୁ ପୁଲିସ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳି ପାରିନି ।