କନକ ବ୍ୟୁରୋ: ନିକଟରେ କ୍ରିକେଟ ବାଦଶାହା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ଶେଷ ହୋଇଛି । ଯଦିଓ ଅର୍ଜୁନ ବାପାଙ୍କ ଭଳି କ୍ରିକେଟ ଦୁନିଆରେ ଏତେଟା ନାଁ କରିପାରିଲେନି କିନ୍ତୁ ବିବାହ ମାମଲାରେ କିନ୍ତୁ ବାପା ସଚିନଙ୍କ ବାଟ ଧରିଛନ୍ତି । କହିବାର ଅର୍ଥ , ସଚିନଙ୍କ ଠାରୁ ପତ୍ନୀ ଅଞ୍ଜଳି ଯେପରି ବୟସରେ ବଡ଼ ଅର୍ଜୁନଙ୍କଠାରୁ ତାଙ୍କ ଭାବି ପତ୍ନୀ ମଧ୍ୟ ବୟସରେ ବଡ଼ ।
ସଚିନଙ୍କ ଜନ୍ମ ୧୯୭୩ରେ ହୋଇଥିବାବେଳେ ପତ୍ନୀ ଅଞ୍ଜଳିଙ୍କ ଜନ୍ମ ୧୯୬୭ରେ । ଦୁହିଁଙ୍କ ମଧ୍ୟରେ ୫ ବର୍ଷର ଫରକ୍ । ମାନେ ସଚିନଙ୍କଠାରୁ ପତ୍ନୀ ଅଞ୍ଜଳି ୫ ବର୍ଷ ବଡ଼ । ୧୯୯୫ରେ ଯେତେବେଳେ ସଚିନ ବିବାହ କଲେ ସେତେବେଳେ ତାଙ୍କ ବୟସ ୨୨ ବର୍ଷ ହୋଇଥିବାବେଳେ ଅଞ୍ଜଳିଙ୍କୁ ହୋଇଥିଲା ୨୭ ବର୍ଷ । ଏତେ ବର୍ଷର ତାରତମ୍ୟ ଥାଇ ବି ଦୁହିଁଙ୍କ ମଧ୍ୟରେ ବୁଝାମଣା ବେଶ୍ ଭଲ । ଦୁହିଁଙ୍କ ବୈବାହିକ ଜୀବନର ଗାଡ଼ି ବିନା ପ୍ରତିବନ୍ଧକରେ ଗଡ଼ିଚାଲିଛି ।
ଅଗଷ୍ଟ ୧୩ରେ ଅର୍ଜୁନଙ୍କ ସହ ଶେଷ ହୋଇଛି ସାନିୟା ଚଣ୍ଡୋକଙ୍କ ନିର୍ବନ୍ଧ । ଅର୍ଜୁନଙ୍କ ଜନ୍ମ ୧୯୯୯ ସେପ୍ଟେମ୍ବର ୨୪ରେ ହୋଇଥିବାବେଳେ ସାନିୟାଙ୍କ ଜନ୍ମ ୧୯୯୮ ଜୁନ୍ ୨୩ରେ । ମାନେ ଅର୍ଜୁନଙ୍କଠାରୁ ସାନିୟା ପାଖାପାଖି ଦେଢ ବର୍ଷ ବଡ଼ । ଅର୍ଜୁନ ନିଜ ଭଉଣୀ ସାରାଙ୍କଠାରୁ ବି ୨ ବର୍ଷ ସାନ । କିନ୍ତୁ ସାରାଙ୍କ ବିବାହ ଏଯାଏଁ ହୋଇନଥିବାବେଳେ ବିବାହ କରିବାକୁ ଯାଉଛନ୍ତି ସଚିନଙ୍କ ଲାଡଲା ଅର୍ଜୁନ ।