କନକ ବ୍ୟୁରୋ: ଆଇପିଏଲରେ ମୁମ୍ୱାଇ ଇଣ୍ଡିଆନ୍ସ ଗୋଟେ ସଫଳ ଟିମ ଭାବେ ଜଣାଶୁଣା । ଦଳ ୫ ଟ୍ରଫି ଜିତି ଆଇପିଏଲରେ ନିଜର ସ୍ୱତନ୍ତ୍ର ଛାପ ଛାଡିଛି । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଏହି ଦଳର ସଦସ୍ୟ ଥିଲେ । ଦଳ ପାଇଁ ତାଙ୍କର ଅନେକ ଅବଦାନ ବି ରହିଛି । ସେ ଏବେ ଦଳରେ ନାହାନ୍ତି କିନ୍ତୁ ତାଙ୍କ ପୁଅ ଦଳର ସଦସ୍ୟ ରହିଛନ୍ତି । ହେଲେ ଆଜି ଯାଏଁ ସେ କୌଣସି ଚମତ୍କାର ପ୍ରଦର୍ଶନ କରିପାରିନାହାନ୍ତି । ତେଣୁ ଦଳରେ ତାଙ୍କୁ ସୁଯୋଗ ବି ମିଳିପାରୁନାହିଁ । ଚଳିତ ବର୍ଷ ବି ଅର୍ଜୁନ ତେନ୍ଦୁଲକର ବେଞ୍ଚରେ ବସି ବସି ଯାଉଛନ୍ତି ।
ଅର୍ଜୁନ ତେନ୍ଦୁଲକର ୨୦୨୧ରୁ ମୁମ୍ୱାଇ ଇଣ୍ଡିଆନ୍ସ ଦଳରେ ରହିଛନ୍ତି । ଆହତ କାରଣରୁ ଏହି ସିଜିନରେ ସେ ଖେଳିପାରିନଥିଲେ । ଏହାପରେ ୨୦୨୨ରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା । ହେଲେ ୨୦୨୩ରେ ସେ ଡେବ୍ୟୁ କରିଥିଲେ, ଆଉ ୪ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୪ରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ । ଏହି ୩ ବର୍ଷରେ ସେ ମାତ୍ର ୫ ମ୍ୟାଚ ଖେଳି ୩ ଓ୍ବିକେଟ ନେବା ସହ ୧୩ ରନ କରିଛନ୍ତି । ମେଗା ଅକ୍ସନରେ ଦଳ ତାଙ୍କୁ ରିଲିଜ କରିଦେଇଥିଲା, କିନ୍ତୁ ପୁଣି ତାଙ୍କୁ ୩୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା । ହେଲେ ଏବେ ଯାଏଁ ତାଙ୍କୁ ଖେଳିବାର ସୁଯୋଗ ମିଳିପାରିନାହିଁ ।
ବର୍ତ୍ତମାନ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଖେଳିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । କାରଣ ଅଶ୍ୱନୀ କୁମାର ଡେବ୍ୟୁ କରିବା ପରେ ଯେଉଁ ପ୍ରଦର୍ଶନ ଦେଖାଇଛନ୍ତି ଦଳ ତାଙ୍କୁ ପ୍ରଥମ ଗୁରୁତ୍ୱ ଦେଇପାରେ । ସେହିପରି ମୁମ୍ୱାଇ ଇଣ୍ଡିଆନ୍ସରେ ଯଶପ୍ରିତ ବୁମରାହ, ଦୀପକ ଚହର, ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଦକ୍ଷ ବୋଲର ରହିଛନ୍ତି । ତେଣୁ ଚଳିତ ବର୍ଷ ଅର୍ଜୁନ ତେନ୍ଦୁଲକରଙ୍କ ଖେଳିବା ସମ୍ଭାବନା ବହୁତ କମ ରହିଛି ବୋଲି କୁହାଯାଉଛି ।
ତେବେ ୫ଟି ସିଜିନରେ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ କରୁଛି କିନ୍ତୁ ସୁଯୋଗ କମ ଦେଉଛି । ଏହାକୁ ନେଇ ବର୍ତ୍ତନମାନ ପ୍ରଶ୍ନ ଉଠୁଛି, ଯଦି ଅର୍ଜୁନଙ୍କ ପ୍ରଦର୍ଶନ ଭଲ ନାହିଁ କାହିଁକି ଦଳ ତାଙ୍କୁ ୫ ବର୍ଷ ହେବ ଟିମରେ ସାମିଲ କରୁଛି? କଣ ସଚିନ ତେନ୍ଦୁଲକରଙ୍କ ପାଇଁ ମୁମ୍ୱାଇ ଅର୍ଜୁନଙ୍କୁ ଦଳରେ ରଖୁଛି? ୨୦୨୧ରେ ମୁମ୍ୱାଇ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଏହାପରେ ୪ଟି ସିଜିନରେ ୩୦ ଲକ୍ଷ ଟଙ୍କାରେ ମୁମ୍ୱାଇ ତାଙ୍କୁ ଦଳରେ ସାମିଲ କରିଛି । ପ୍ରତ୍ୟକ ବର୍ଷ ଆଇପିଏଲରେ ନୂଆ ନୂଆ ଷ୍ଟାର ବାହାରୁଛନ୍ତି । ଚମତ୍କାର ପ୍ରଦର୍ଶନ କରି ରାତାରାତି ହିରୋ ହୋଇଯାଉଛନ୍ତି । ବିଶ୍ୱ କ୍ରିକେଟର ବଡ଼ ଚେହେରା ସଚିନ ତେନ୍ଦୁଲକରଙ୍କ ପୁଅ ବହୁ ପଛରେ ପଡ଼ିଯାଇଛନ୍ତି ।
ଅର୍ଜୁନ ତେନ୍ଦୁଲକର ଘରୋଇ କ୍ରିକେଟରେ ମୁମ୍ୱାଇ ପାଇଁ ଡେବ୍ୟୁ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଗୋଆ ଦଳରେ ସାମିଲ ହୋଇଥିଲେ । ଅର୍ଜୁନ ୪୫ ଘରୋଇ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ୧୭ ପ୍ରଥମ ଶ୍ରେଣୀ କ୍ରିକେଟ, ୧୮ ଲିଷ୍ଟ କ୍ରିକେଟ ଓ ୨୪ ଟି-୨୦ ମ୍ୟାଚ ସାମିଲ ଅଛି ।