କନକବ୍ୟୁରୋ : ସମସ୍ତେ ଆଜିକାଲି ଦୁନିଆ ରେ ଫିଟ୍ ରହିବା ପାଇଁ ଚାହାଁନ୍ତି ସେଥିପାଇଁ ଜିମ୍ ଯିବା ସହ ସକାଳୁ ବ୍ୟାୟାମ କରିବା ସୁସ୍ଥ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେଉଛନ୍ତି ଯୁବପିଢି । କିନ୍ତୁ ଆମର ଜୀବନଶୈଳୀ ଆଉ ମାନସିକ ଚିନ୍ତା ଯୋଗୁଁ ଏହାର ପ୍ରଭାବ ମଧ୍ୟ ଆମ ଶରୀର ଉପରେ ପଡିଥାଏ । ଆଜିକାଲି ଓଜନ ହ୍ରାସ ନିଶା ସଭିଙ୍କୁ ଘାରିଛି । ସଭିଏଁ ଚାହାନ୍ତି ଫିଟ୍ ରହିବାକୁ । ମାତ୍ର ଖାଦ୍ୟକୁ ନିୟନ୍ତ୍ରଣରେ ରଖି ଫିଟ୍ ରହିବାକୁ କେହି ବି ଚାହାନ୍ତି ନାହିଁ । ସଭିଏଁ ଚାହାନ୍ତି ଆମେ ସବୁ ସ୍ବାଦିଷ୍ଟ ଜିନିଷ ଖାଇବା ପରେ ଯେପରି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରୁ ।
ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ଖାଇବା ପୂର୍ବରୁ ଗ୍ରହଣ କରିବା ଦ୍ବାରା ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ ।
କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ । ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ । ମାତ୍ର ଏପରି କେତେ ଦିନ ବା କରିହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍ ହେତୁ ମୋଟାପଣ ବଢ଼ିଥାଏ ।
ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍ ନିଷ୍ପତ୍ତି । ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତ ନିମ୍ନରେ ଯେଉଁ ସୁପ୍ ବିଷୟରେ ଲେଖାଯାଇଛି ତାହାକୁ ପ୍ରତିଦିନ ଖାଇବା ପୂର୍ବରୁ ପିଅନ୍ତୁ ।
ପ୍ରଥମେ ୩ଟି ବିଲାତି ବାଇଗଣ, ୩ଟି ଗାଜର, ଏକ ଫୁଲକୋବି, ୬ଟି ପିଆଜ ନିଅନ୍ତୁ । ତାହାକୁ ଖୁବ୍ ସାନ ସାନ କରି କାଟିଦିଅନ୍ତୁ । ଏହା ସହିତ ୩ ବିଡ଼ା ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ କଟା ବି ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ । ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ । ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି । ଏହି ସୁପ୍କୁ ଖାଦ୍ୟ ଖାଇବାର ୧୦ ମିନିଟ୍ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି । ପ୍ରତିଦିନ ଏହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ ନିଶ୍ଚୟ ନିୟନ୍ତ୍ରଣରେ ରହିବ ।